ଆକତପୁରରେ ‘ଇସ୍କନ’ର ଗୌରପୂର୍ଣ୍ଣିମା ମହୋତ୍ସବ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା) : ‘ଇସ୍କନ’ ବାଲେଶ୍ୱର ଶାଖା ପକ୍ଷରୁ ଗୌର ପୂର୍ଣ୍ଣିମା ମେହୋତ୍ସବ ସହରର ଆକତପୁରରେ ଗୁରୁବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଦିବସରେ ଅଧିବାସ ସାଙ୍ଗକୁ ମହାନଗର ସଂକୀର୍ତ୍ତନ, କଳସ ଶୋଭାଯାତ୍ରା ଆଦି ଅନୁଷ୍ଠିତ ହୋଇଥିଲା । ମହିଳାମାନେ ବୁଢ଼ାବଳଙ୍ଗ ନଦୀର ବାଲିଘାଟରୁ ଘଟ ଉତ୍ତୋଳନ ପୂର୍ବକ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଭଜନ କୀର୍ତ୍ତନ ସହ ଏହି ଶୋଭାଯାତ୍ରା ଉତ୍ସବସ୍ଥଳରେ ପହଞ୍ଚିବା ପରେ ଘଟ ସ୍ଥାପନ ସହ ଯଜ୍ଞ ଶୁଭାରମ୍ଭ ହୋଇଥିଲା । ସଂଧ୍ୟାରେ ମହାଆରତୀ ସାଙ୍ଗକୁ ଗୌର ଲୀଳାକଥା ଉପରେ ଆୟୋଜିତ ପ୍ରବଚନ କାର୍ଯ୍ୟକ୍ରମରେ ଆକତପୁର ସମେତ ସହରର ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ସେହିପରି ୧୮ ତାରିଖରେ ମଙ୍ଗଳା ଆରତୀ, ଦର୍ଶନ ଆରତୀ, ନାମ ସଂକୀର୍ତ୍ତନ, ଅପରାହ୍ଣରେ ମହାଭିଷେକ, ରାତିରେ ପୁଷ୍ପାଞ୍ଜଳି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେବ ବୋଲି ଇସ୍କନ ବାଲେଶ୍ୱର ଶାଖାର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଏଭଳି ଏକ ଭାବପୂର୍ଣ୍ଣ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଶ୍ରଦ୍ଧାଳୁ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସେମାନେ ସମସ୍ତଙ୍କୁ ନିବେଦନ କରିଛନ୍ତି ।


