ବିଜେପି ପକ୍ଷରୁ ୧୫ ନଂ ୱାର୍ଡ଼ରେ ନିର୍ବାଚନୀ ପଦଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା) :ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଦଳୀୟ ପୌରାଧ୍ୟକ୍ଷା ପ୍ରାର୍ଥୀନୀ ରଶ୍ମିରେଖା ଦେବ ଓ ୧୫ନଂ ୱାର୍ଡ଼ର କାଉନସିଲର ପ୍ରାର୍ଥୀନୀ ପଙ୍କଜିନୀ ଶତପଥୀ ସମର୍ଥନରେ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ନିର୍ବାଚନୀ ସଭାରେ ଶ୍ରୀ ଦତ୍ତ ଶାସକ ଦଳ ମିଥ୍ୟା ପ୍ରତିଶ୍ରୁତିକୁ ନେଇ ସମାଲୋଚନା କରିଛନ୍ତି । ସରକାରୀ କଳ ବଳ ଜରିଆରେ ଭୋଟରମାନଙ୍କୁ ପ୍ରଭାବିତ କରି ନିର୍ବାଚନ ହାତେଇବାକୁ ଶାସକ ବିଜେଡି ଅପପ୍ରୟାସ ଜାରି ରଖିଛି ବୋଲି ସେ ଆରୋପ କରିଛନ୍ତି । ତେବେ ଚଳିତ ପୌର ନିର୍ବାଚନରେ ସାଧାରଣ ଲୋକେ ଏହାର ଉଚିତ ଜବାବ ଦେବେ ବୋଲି ସେ ଅଶା ପ୍ରକାଶ କରିଛନ୍ତି । ଏକମାତ୍ର ବିକଳ୍ପ ଭାବେ ବିଜେପିର ପୌରାଧ୍ୟକ୍ଷା ପ୍ରାର୍ଥିନୀଙ୍କ ସମେତ ସମସ୍ତ ଦଳୀୟ କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଶ୍ରୀ ଦତ୍ତ ନିବଦେନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ ସଭାପତି ଦୁଷ୍ମନ୍ତ ପଢିଆରୀ, ପୂର୍ବତନ କାଉନସିଲର ଉପେନ୍ଦ୍ର ଶତପଥୀ, ଗଗନ ଜେନା, ଅଭୟ ସାହୁ, ଜଳେନ୍ଦ୍ର ସେଠୀ, ଚିତ୍ତରଞ୍ଜନ ସାହୁ, ଭବାନୀ ଶତପଥୀ, ଶିବାନୀ ଶତପଥୀ, ହରିଶ୍ଚନ୍ଦ୍ର ସାହୁ, କମଲ ଲୋଚନ ଶତପଥୀ ପ୍ରମୁଖ ଏହି ପଦଯାତ୍ରାରେ ଉପସ୍ଥିତ ଥିଲେ ।


