ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ସର୍ବଭାରତୀୟ ସ୍ତରରେ ଗଜପତି ଜିଲ୍ଲା ପ୍ରଥମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ୨୦୧୮ରୁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଆକାଂକ୍ଷୀ କାର୍ଯ୍ୟକ୍ରମରେ ୧୧୨ ଗୋଟି ଜିଲ୍ଲା ମଧ୍ୟରେ ବିଭିନ୍ନ ବିଭାଗ ତଥା ସ୍ୱାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି ଓ ଜଳସମ୍ପଦ, ମୌଳିକ ଭିତ୍ତିଭୂମି ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଦକ୍ଷତା ବିକାଶ କ୍ଷେତ୍ରକୁ ନେଇ ସର୍ବୋପରି ବିକାଶ ଲାଗି ହେଉଥିବା ସକାରାତ୍ମକ ପ୍ରତିଯୋଗୀତାରେ ଅଗଷ୍ଟ ମାସର ଡେଲ୍ଟା ରେଙ୍କି ପ୍ରକାଶିତ ହୋଇଛି । ଯେଉଁଥିରେ ଗଜପତି ଜିଲ୍ଲା ଦେଶରେ ସାମଗ୍ରିକ ଭାବରେ ପ୍ରଥମ ସ୍ଥାନ ହାସଲ କରିଛି ବୋଲି ଆଜି ସନ୍ଧ୍ୟାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି । ଏହି ପ୍ରଥମ ସ୍ଥାନ ହାସଲ କରିଥିବା ବିଷୟ ଅନୁସାରେ କହିବାକୁ ଗଲେ କୃଷି ଓ ଜଳସମ୍ପଦ କ୍ଷେତ୍ରରେ ପ୍ରଥମ ଏବଂ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଏହା ଦ୍ୱାରା ଜିଲ୍ଲାକୁ ଦେଶରେ ସାମଗ୍ରୀକ ଭାବେ ପ୍ରଥମ ହେତୁ ୫ କୋଟି ଟଙ୍କା ପୁରସ୍କାର ରୂପେ ଜିଲ୍ଲାକୁ ମିଳିବାର ବ୍ୟବସ୍ଥା ଅଛି । କୃଷି ଓ ଜଳସମ୍ପଦ କ୍ଷେତ୍ରରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହେତୁ ଜିଲ୍ଲାକୁ ଅତିରିକ୍ତ ୬ କୋଟି ଟଙ୍କା ପୁରସ୍କାର ରୂପେ ମିଳିବାର ବ୍ୟବସ୍ଥା ଅଛି । ଗଜପତି ଜିଲ୍ଲା ଡିସେମ୍ବର ୨୦୧୮ରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ପ୍ରଥମ ସ୍ଥାନ, ଡିସେମ୍ବର ୨୦୧୯ରେ କୃଷି ଓ ଜଳସମ୍ପଦ କ୍ଷେତ୍ରରେ ତୃତୀୟ ସ୍ଥାନ, ନଭେମ୍ବର ୨୦୨୦ରେ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଗ୍ରହଣ ହେତୁ ପ୍ରତ୍ୟେକ କ୍ଷେତ୍ରରେ ଜିଲ୍ଲାକୁ ଅତିରିକ୍ତ ଅନୁଦାନ ଭାବେ ୩କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ପୁରସ୍କୃତ ୩କୋଟି ଟଙ୍କାର ପ୍ରସ୍ତାବ ନିତି ଆୟୋଗକୁ ପ୍ରଦାନ କରାଯାଇ ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ୍ ଉପଲବ୍ଧ ନଥିବା ୪୬ଗୋଟି ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ବ୍ୟାଙ୍ଗି ସହାୟକ କେନ୍ଦ୍ର ଉପଲବ୍ଧ କରିବା ପାଇଁ କାର୍ଯ୍ୟକ୍ରମ ଚାଲୁ ରହିଛି । ବର୍ତ୍ତମାନ ସୁଦ୍ଧା ଗୁମ୍ମା ବ୍ଲକର ଅଜୟଗଡ ଏବଂ ମୋହନା ବ୍ଲକର ପାଣିଗଣ୍ଡା ଠାରେ ବ୍ୟାଙ୍କି ସହାୟକ କେନ୍ଦ୍ର ଉପଲବ୍ଧ ହୋଇଛି । ଏହି ସଫଳତା ନିମନ୍ତେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭାଗର କର୍ମଚାରୀ ଓ ଅଧିକାରୀମାନଙ୍କୁ ଉତ୍ସାହିତ କରିବା ସହ ଏହିଭଳି ଭାବେ ଜିଲ୍ଲାର ବିକାଶ ଲାଗି ମିଳିତ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


