ଆଜିର କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଲକ୍ ଡାଉନ୍ ଅବଧି ଅପ୍ରେଲ ୩୦ ପର୍ଯ୍ୟନ୍ତ ବୃଦ୍ଧି ସହ ରେଳ ଚଳାଚଳ ବନ୍ଦ ରଖିବା ପାଇଁ କେନ୍ଦ୍ରକୁ ଅନୁରୋଧ

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ଗୁରୁବାର ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି । ବୈଠକର ନିଷ୍ପତ୍ତି ନିଅ ଯାଇଥିବା ସମସ୍ତ ବିଷୟନେଇ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀ କହିଥିଲେ ଯେ, କ୍ୟାବିନେଟ୍ ବୈଠକରେ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ସମୟରେ ଓଡ଼ିଶା ଜନଗଣଙ୍କର ଅକୁଣ୍ଠ ସହଯୋଗ ଏବଂ କଟକଣାଗୁଡ଼ିକର ସ୍ଵଚ୍ଛାକୃତ ଅନୁପାଳନ କରି ନିଜ ନିଜର ଅବଦାନ ରଖିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସମସ୍ତ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଥିଲେ । କରୋନା ଲଢ଼େଇରେ ଓଡ଼ିଶାର ଜନସାଧାରଣ ନିଜର ଅବଦାନ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମହାମାରୀ କୋରୋନାର ପ୍ରତିରୋଧ ପାଇଁ ନିଆଯାଇଥିବା ପଦକ୍ଷେପ ଯଥା- ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୃଷ୍ଟି, ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା, ଯଥେଷ୍ଟ ପରିମାଣର ଔଷଧ, ପରୀକ୍ଷା କିଟ୍ ଓ ଡାକ୍ତର ଏବଂ ଚିକିତ୍ସା ସହାୟକଙ୍କ ନିମନ୍ତେ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ସଂଗ୍ରହ, ଅଧିକ ସଂଖ୍ୟକ ଡାକ୍ତର ଏବଂ ଚିକିତ୍ସା ସହାୟକ ନିୟୋଜନ, ଲୋକମାନଙ୍କର ଖାଦ୍ୟ ସୁରକ୍ଷା ଓ ଜୀବିକା ସହାୟତା, ଓଡ଼ିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଶ୍ରମଜୀବୀମାନଙ୍କ ପାଇଁ ବ୍ୟବସ୍ଥା, ନିର୍ମାଣ ଶ୍ରମିକଙ୍କୁ ସହାୟତା ବିଷୟରେ ମୁଖ୍ୟ ଶାସନ ସଚିବ କ୍ୟାବିନେଟ୍ଙ୍କୁ ଜଣାଇଥିଲେ । ଆଇସିଏମ୍ଆର୍ ସ୍ୱୀକୃତ କୋଭିଡ୍-୧୯ ରାପିଡ୍ ଟେଷ୍ଟିଂ କିଟ୍ କିଣିବା ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏକ ଲକ୍ଷ ରାପିଡ୍ ଟେଷ୍ଟିଂ କିଟ୍ କିଣାଯିବ । ଏହା ଦ୍ୱାରା ଅଳ୍ପ ସମୟ ମଧ୍ୟରେ ଅଧିକ ସଂଖ୍ୟକ କୋଭିଡ୍-୧୯ ପରୀକ୍ଷା ହୋଇପାରିବ । ଏକ ଅଧ୍ୟାଦେଶ ଜରିଆରେ ମହାମାରୀ ରୋଗ ଆଇନ ୧୮୯୭ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହା ଫଳରେ (କ) ଦଣ୍ଡବିଧାନ ବ୍ୟବସ୍ଥା ବୃଦ୍ଧି କରାଯାଇଛି । ସର୍ବାଧିକ ୨ ବର୍ଷ ଜେଲ୍ କିମ୍ବା ୧୦୦୦୦ ଟଙ୍କା ବା ଉଭୟରେ ଦଣ୍ଡିତ କରାଯିବ । (ଖ) ପ୍ରତିଟି ଅପରାଧକୁ ଧର୍ତ୍ତବ୍ୟ ବୋଲି ଗ୍ରହଣ କରାଯିବ ଏବଂ ଏହା ଜାମିନ୍ ଯୋଗ୍ୟ ରହିବ । ଓଡ଼ିଶା କୋଭିଡ୍-୧୯ ନିୟମ-୨୦୨୦ରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହା ଫଳରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ମାସ୍କ ନପିନ୍ଧିଲେ ପ୍ରଥମ ୩ ଥର ଉଲ୍ଲଂଘନ ପାଇଁ ୨୦୦ ଟଙ୍କା ଲେଖାଏଁ ଏବଂ ତା’ ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୫୦୦ ଟଙ୍କା ଜରିମାନା ଦେବାକୁ ହେବ । ସାରା ବିଶ୍ୱରେ ଏକ ବଡ଼ ବିପଦର ରୂପ ନେଇଥିବା କୋଭିଡ୍-୧୯ର ପ୍ରତିରୋଧ, ପରିଚାଳନା ଓ ପ୍ରତିଷେଧକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ଖର୍ଚ୍ଚ ନିମନ୍ତେ ଓଡ଼ିଶା ଆକସ୍ମିକ ପାଣ୍ଠି(ଓଡ଼ିଶା କଣ୍ଟିଜେନ୍ସି ପାଣ୍ଠି)କୁ ୪୦୦ କୋଟି ଟଙ୍କାରୁ ୨୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଓଡ଼ିଶା ବିଧାନସଭା ଅଧିବେଶନ ଚାଲୁନଥିବାରୁ ଏହି ବାବଦରେ ଏକ ଅଧ୍ୟାଦେଶ ଜାରି କରାଯିବ । ରାଜ୍ୟରେ ଲକ୍ ଡାଉନ୍ ଅବଧିକୁ ୧୫ ଅପ୍ରେଲ ରୁ ୩୦ ଅପ୍ରେଲ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି । ଦେଶର ଲୋକାମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଅବଧି ସାରା ଦେଶରେ ବଢ଼ାଇବା ପାଇଁ ମଧ୍ୟ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଛି । ଏପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ବିମାନ ଓ ରେଳ ଚଳାଚଳ ବନ୍ଦ ରଖିବା ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।


