ସରକାରୀ ସାହାଯ୍ୟ ନ ପାଇଲେ ୨୫% ରିଟେଲରଙ୍କ ସ୍ଥିତି ସଙ୍ଗିନ
ଭୁବନେଶ୍ବର:କରୋନା ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନର ଲକଡାଉନ ଜାରି ରହିଛି । ବ୍ୟବସାୟିକ କାର୍ଯ୍ୟକଳାପଠାରୁ ଆରମ୍ଭ କରି ସବୁ କିଛି ବନ୍ଦ ପଡ଼ିଛି । ଲକଡାଉନ ସରିବା ପରେ ସ୍ଥିତି ଭିନ୍ନ ପ୍ରକାର ହେବ । ଅନେକ କମ୍ପାନୀ ସାଂଘାତିକ ଅବସ୍ଥାକୁ ଆସିଯିବେ । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଲକଡାଉନ ସରିବା ପରେ ପ୍ରାୟ ୨୫% ରିଟେଲର ବୃହତ ମାତ୍ରାରେ ପୁଞ୍ଜି ଲୋଡ଼ିବେ । ଏହା ନ ମିଳିଲେ ବ୍ୟବସାୟ ବନ୍ଦ କରିବା ପାଇଁ ସେମାନେ ବାଧ୍ୟ ହେବେ । ଭାରତୀୟ ରିଟେଲର ସଂଘ (ଆରଏଆଇ) ଏହି ଆଶଙ୍କା ପ୍ରକାଶ କରିଛି । ଆରଏଆଇ ମୁଖ୍ୟ କୁମାର ରାଜଗୋପାଳନ କହିଛନ୍ତି ଯେ ସରକାର ପ୍ୟାକେଜ ନ ଦେଲେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବ । ଲକଡାଉନ ସମୟରେ ଅଣ ଖାଦ୍ୟ ରିଟେଲରଙ୍କ ଆୟ ବନ୍ଦ ହୋଇଯାଇଛି । କିନ୍ତୁ ସେମାନଙ୍କ ଖର୍ଚ୍ଚ ଜାରି ରହିଛି । ଫଳରେ ଏମାନେ ବଡ଼ ଧରଣର ଆର୍ଥିକ ସମସ୍ୟା ସାମ୍ନା କରିବାକୁ ଯାଉଛନ୍ତି ।
ଆରଏଆଇର ସଦସ୍ୟ ଥିବା କେତେକ ରିଟେଲରଙ୍କ କହିବାନୁସାରେ, କମ୍ପାନୀକୁ ବଞ୍ଚାଇବା ପାଇଁ ସେମାନଙ୍କୁ ୨୦% କର୍ମଚାରୀଙ୍କୁ ଛଟେଇ କରିବାକୁ ପଡ଼ିବ । ଆଉ କେତେକ ରିଟେଲର କହିଛନ୍ତି ଯେ, ଲକଡାଉନ ପରେ ଉପୁଜିବାକୁ ଥିବା ପରିସ୍ଥିତିକୁ ସମ୍ଭାଳିବା ପାଇଁ ଖର୍ଚ୍ଚକାଟ କରିବାକୁ ପଡ଼ିବ । ୩୦% କର୍ମଚାରୀଙ୍କ ଚାକିରି ଯାଇପାରେ । ସର୍ଭେରେ ଭାଗ ନେଇଥିବା ରିଟେଲରମାନଙ୍କ ମଧ୍ୟରୁ ୧୮% ହେଉଚନ୍ତି ଖାଦ୍ୟ ରିଟେଲର । ଏମାନେ ଲକଡାଉନ ସମୟରେ ବ୍ୟବସାୟ ବନ୍ଦ କରି ନାହାନ୍ତି । ଅନ୍ୟମାନେ ହେଉଛନ୍ତି ଅଣ-ଖାଦ୍ୟ ରିଟେଲର, ଯେଉଁମାନେ ବ୍ୟବସାୟ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ।
ସବୁଠାରୁ ବଡ଼ ସମସ୍ୟା ରହିବ ଘରଭଡ଼ା । କାରଣ ମୋଟ ଖର୍ଚ୍ଚରେ ଏହାର ଅଂଶ ୩୫% ରୁ ୪୦% । ରିଟେଲରମାନେ ସଂକଟରୁ ବାହାରିବା ପାଇଁ ବିଭିନ୍ନ ପ୍ରକାର ଦାବି କରୁଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ସୁବିଧା, ସର୍ବନିମ୍ନ ବିଦ୍ୟୁତ ଶୁଳ୍କ ଛାଡ଼ ବ୍ୟବସ୍ଥା, ରାଜସ୍ୱ ଅନୁସାରେ ଘରଭଡ଼ା, ମଲ୍ ମାଲିକଙ୍କ ପାଇଁ ପ୍ରପର୍ଟି ଟିକସ ପୈଠ କରିବା ନେଇ କୋହଳ ଆଭିମୁଖ୍ୟ ଇତ୍ୟାଦି ।


