ବନ୍ତ ବିଜେଡି ଶିବିରରେ ବିରୋଧର ସ୍ୱର

ବନ୍ତ, (ଚାନ୍ଦିନୀ ମହାନ୍ତି):ଏଇଟା ଗଣତନ୍ତ୍ର ନା ରାଜତନ୍ତ୍ର । କର୍ମୀ ମାନେ କ’ଣ ଗୋଲାମ । ଦଳଟା ତୁମର ପୈତୃକ ସଂପତ୍ତି ନୁହେଁ । କାହାକୁ କେତେବେଳେ ବାହାର କରିବ, କାହାକୁ କେତେବେଳେ ରଖିଦ । ତୁମେ ନିଜେ ନିଷ୍ପତ୍ତି ନେଇଯିବ । କିଏ ତୁମେ ? ୨୦୧୯ ସାଧାରଣ ନିର୍ବାଚନରେ କେଉଁଠି ଥିଲ । ଯେତେବେଳେ ଚାଇଁପୁର ଗ୍ରାମରେ ବିଜେଡି କର୍ମୀଙ୍କୁ ବିରୋଧୀ ଦଳ ପକ୍ଷରୁ ଆକ୍ରମଣ କରାଯାଇଥିଲା । ସେତେବେଳେ ୮ ଦିନ ସେମାନେ ରୋଷେଇ କରିପାରିନଥିଲେ । ତାଟି କବାଟ ପଡି ଯାଇଥିଲା । କଉଠି ଲୁଚିଥିଲ ତୁମେ । ଏସବୁକୁ ବରଦାସ୍ତ କରାଯାଇ ନଥିଲା । ଆମେ ଦଳକୁ ଭଲ ପାଉଛୁ । ନବୀନ ପଟ୍ଟନାୟକଙ୍କ ଆର୍ଦଶକୁ ଭଲ ପାଇ ଆମେ ବିଜେଡିରେ ଅଛୁ ଓ ଆଉ ରହିବୁ । ଯେଉଁ ନେତୃତ୍ୱ ମାନେ ଆମ ଉପରେ ଜୁଲମ ଚଳାଇଛନ୍ତି । ଅନ୍ୟାୟ ଓ ଅତ୍ୟାଚାର କରୁଛନ୍ତି ଆମେ ତାଙ୍କ ବିରୁଦ୍ଧରେ ବନ୍ତ ପଞ୍ଚାୟତରେ ଅଭିଯାନ ଆରମ୍ଭ କରିଛୁ । ଏହି ବାର୍ତ୍ତା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ୪୮ ପଞ୍ଚାୟତକୁ ଯିବ । ଯେଉଁ ମାନେ ଦଳକୁ ଧ୍ୱଂସ ଆଡକୁ ନେଉଛନ୍ତି ସେମାନଙ୍କ ବିରୁଦ୍ଧରେ ରାଜଧାନୀରେ ନବୀନ ନିବାସ ଆଗରେ ଦଳରୁ ବହିଷ୍କାର ପାଇଁ ଦାବୀ କରାଯିବ । ଗତ ୨୦୦୨ ମସିହାରେ ଶ୍ରୀ ନାୟକଙ୍କ ପତ୍ନୀ ରେବତୀ ନାୟକ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷା ହୋଇଥିଲେ । ସେହି ସମୟରେ ପ୍ରତ୍ୟେକ ଗ୍ରାମରେ ବିକାଶ ମୂଳକ କାର୍ଯ୍ୟ କରାଯାଇଥିଲା । ଗତ ୨୦୦୯ ମସିହାରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡିଳୀରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରଫୁଲ୍ଲ ସାମଲ ବିଧାୟକ ପ୍ରାର୍ଥୀ ହୋଇ ବିପୁଳ ଭୋଟରେ ନିର୍ବାଚିତ ହୋଇଥିଲେ । ଗତ ୨୦୧୯ ମସିହା ଠାରୁ ବିଧାୟକ ପ୍ରଫୁଲ୍ଲ ସାମଲ ବିଧାୟକ ହେବା ଠାରୁ ଏପର୍ଯ୍ୟନ୍ତ ଏଠାରେ ଦେଖିବାକୁ ମିଳୁନାହିଁ । ବିଧାୟକ ଭୁବନେଶ୍ୱରରେ ରହି ତାଙ୍କର ପ୍ରତିନିଧି କରି କିଛି ଲୋକଙ୍କୁ ଛାଡି ଦେଲେ । ଯିଏ ଆସିଲେ ଯେଉଁ ମାନେ ବିଜେଡିକୁ କାନ୍ଧେଇ ଅଛନ୍ତି ସେମାନଙ୍କୁ ଦିନେ ଚିହ୍ନିଲେ ନାହିଁ । ବିରୋଧୀ ମାନଙ୍କ ସହିତ ହାତ ମିଳାଇ ଆମକୁ ଗତ ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ପଛ ପାଖରୁ ଛୁରୀ ମାରି ହରାଇଲେ । ଏକଥା ବନ୍ତ ନୁହେଁ ସାରା ଓଡିଶାରେ ପ୍ରଚାର ପ୍ରସାର ହୋଇଥିଲା । ସିଏ ନିଜେ ବଡପଣିଆ ଦେଖେଇ ପ୍ରଚାର କଲେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ସୁଧାଂଶୁ ନାୟକଙ୍କୁ ସମୁଦ୍ରକୁ ଫୋପାଡି ଦେଇଛୁ । ଯେଉଁ ମାନେ ଦଳ ପାଇଁ କାମ କରି ଥିଲେ ତାଙ୍କୁ ସମବେଦନା ଜଣାଇଲେ ନାହିଁ । ଓଲଟି ବିରୋଧୀ ସହିତ ହାତ ମିଳାଇ ପ୍ରତି ଗ୍ରାମରେ ସେମାନଙ୍କୁ କାମ ଦିଆଗଲା । ବିଜେଡି ଦଳର କୌଣସି କର୍ମୀ କାମ ଖଣ୍ଡେ ପାଇଲେ ନାହିଁ । ଏଭଳି ମନ୍ତବ୍ୟ ଦେଇଛନ୍ତି ବନ୍ତ ବ୍ଲକ ବିଜେଡି ଜଣେ ବରିଷ୍ଠ ନେତୃତ୍ୱ । ଯିଏକି ବନ୍ତ ବ୍ଲକର ୨ ଥର ବ୍ଲକ ଅଧ୍ୟକ୍ଷା ହୋଇଥିବା ରେବତୀ ନାୟକଙ୍କ ସ୍ୱାମୀ ତଥା ଦୀର୍ଘ ୨୦ ବର୍ଷ ଧରି ବିଜେଡିର ପ୍ରଛଦ ପଟ୍ଟରେ ରହି ବିଜେଡିର ଗୋଟି ଚାଳନା କରୁଥିବା ବରିଷ୍ଠ ନେତା ପ୍ରାଧ୍ୟାପକ ଡଃ.ସୁଧାଂଶୁ ନାୟକ । ଗତ ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ଶ୍ରୀ ନାୟକ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ଖୁବ୍ କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ସେବେଠାରୁ ସେ ବିଜେଡି ଦଳ ପାଖରୁ ଅଣଦେଖା ହୋଇ ଆସୁଛନ୍ତି । ଦଳ ତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଛି । କୌଣସି ଥିରେ ଦଳ ତାଙ୍କୁ ପଚାରୁ ନାହିଁ ବୋଲି ବନ୍ତ ଠାରେ ‘ଶଙ୍ଖ ମୋର ଗର୍ବ’ ବନ୍ତ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀରେ ସେ ନିଜ ବକ୍ତବ୍ୟରେ କହିଛନ୍ତି । ପୂର୍ବତନ ସରପଞ୍ଚ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱ ତଥା ଆଇନଜୀବି ମାଧବାନନ୍ଦ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ସମ୍ମିଳନୀରେ ପ୍ରାଧ୍ୟାପକ ଡଃ.ସୁଧାଂଶୁ ନାୟକ, ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ.ଶୁଭେନ୍ଦ୍ର କୁମାର ମିଶ୍ର, ଟିଲୋ ପଞ୍ଚାୟତ ବିଜେଡି ସଭାପତି ସୁଧିର କୁମାର ନାୟକ, ବ୍ଲକ ବିଜେଡିର ପୂର୍ବତନ ସଭାପତି କମଳାକାନ୍ତ ସାହୁ, ବସନ୍ତିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝା, ଚାଇଁପୁର ସେବା ସମବାୟ ସମିତିର ସଭାପତି ଅଜୟ କୁମାର ନାୟକ, ବନ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀ, ସମଜସେବୀ ଅନାମ ମହାନ୍ତି, ଚିନ୍ତାମଣି ମିଶ୍ର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ବନ୍ତ ଗ୍ରାମ ପଞ୍ଚାୟତରୁ ଶତାଧିକ ପୁରୁଷ ଓ ମହିଳା କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ