ଆନ୍ଧ୍ରରୁ ପାରଳାର ନିରୁଦ୍ଧିଷ୍ଟ ନାବାଳକ ସମାଜସେବୀଙ୍କ ଦ୍ଵାରା ଭୁବନେଶ୍ୱରରୁ ଉଦ୍ଧାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଜଣେ ନାବାଳକ ଆନ୍ଧ୍ରରୁ ଗତ ୧୬ ତାରିଖରେ ନିରୁଦ୍ଧିଷ୍ଟ ହୋଇଯାଇଥିଲେ । ତେବେ ଭୁବନେଶ୍ୱରର କେତେକ ସମାଜସେବୀଙ୍କ ଦ୍ଵାରା ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର ହୋଇଥିବା ମାମଲା ସାମନାକୁ ଆସିଛି । ଘଟଣାରୁ ପ୍ରକାଶ ଯେ, ପାରଳାର ନାବାଳକ ସାଇଜଗନ ପାତ୍ର ବୟସ ପ୍ରାୟ ୧୭ ଆନ୍ଧ୍ରର ଆକାଇପାଲମର ଶ୍ରୀବିଶ୍ୱ କଲେଜ ଠାରେ ଅଧ୍ୟୟନ କରୁଥିଲେ । ତେବେ ତାଙ୍କର ଦେହ ଅସୁସ୍ଥ ହେବାରୁ ସେ କତବାଲାସା ଗ୍ରାମର ଜଣେ ସାଙ୍ଗ ଘରକୁ ଚାଲିଯାଇଥିଲେ । ଇତି ମଧ୍ୟରେ ସାଙ୍ଗ ଜଣକ ଆକାଇପାଲମ ଯିବା ଲାଗି ବସରେ ଛାଡିଥିଲେ ମଧ୍ୟ ସେ କଲେଜକୁ ଯାଇ ନ ଥିଲେ । ପାରଳାଖେମୁଣ୍ଡି ଠାରେ ଥିବା ସାଇଙ୍କ ବାପା ତଥା ପରିବାର ବର୍ଗ ଫୋନ ଯୋଗେ ଯୋଗାଯୋଗ କଲେ ମଧ୍ୟ କୌଣସି ଉତ୍ତର ନ ମିଳିବାରୁ କତବାଲାସା ଠାରେ ପହଞ୍ଚି ନିରୁଦ୍ଧିଷ୍ଟ ହେବାର ଲିଖିତ ଅଭିଯୋଗ ଥାନାରେ କରି ଥିଲେ । ହେଲେ କୌଣସି କାରଣ ବସତଃ ନାବାଳକ ଜଣକ ବିଶାଖାପାଟଣା ଚାଲିଯାଇ ସେଠାରେ ଟ୍ରେନ ଚଢି ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଆଜି ଭୁବନେଶ୍ୱର ରେଳଷ୍ଟେସନ ଠାରେ ଉଦ୍ଧାର ହୋଇଥିବାର ଜଣାପଡିଛି । ପାରଳା ସହରର ଦେବାନନ୍ଦ ମିଶ୍ର ଏବଂ ଭୁବନେଶ୍ୱରର ସରୋଜ ଦାସ ଉଭୟେ ଭୁବନେଶ୍ୱର ଠାରେ ରହି ସମସ୍ତ ଟ୍ରେନ ଓ ବସ ଉପରେ ତୀକ୍ଷ୍ମଣ ନଜର ରଖି ଖୋଜାଖୋଜି କରୁଥିଲେ । ଉଭୟ ଯୁବ ସମାଜସେବୀଙ୍କ ଦ୍ବାରା ନିଖୋଜ ହୋଇଥିବା ନାବାଳକ ଜଣକ ଉଦ୍ଧାର ହୋଇଥିବାର ଖବର ପାରଳା ସହରରେ ପ୍ରଚାରିତ ହେବାପରେ ପରିବାରବର୍ଗ ଓ ଶୁଭେଚ୍ଛୁ ମାନଙ୍କ ମହଲରେ ଖୁସିର ଲହରି ଖେଳିଯାଇଥିବା ବେଳେ ଖବର ଲେଖାହେବା ସୁଦ୍ଧା ଉଦ୍ଧାର ନାବାଳକ ଜଣକ ଭୁବନେଶ୍ୱରରେ ଥିବାର ସୂଚନା ମିଳିଛି ।


