ଆବାସ ଯୋଜନାରେ ଷ୍ଟିକରିଂ ବ୍ୟବସ୍ଥାକୁ ନେଇ ବିଜେପିର ସାମ୍ବାଦିକ ସମ୍ମୀଳନୀ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଏବେ ରାଜ୍ୟ ସରକାର ସମସ୍ତ କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ପ୍ରଚାର କରିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରୁଥିବା ବିଜେପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି । ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଡାକବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପିନେତା ବଦ୍ରୀନାରାୟଣ ଧଳ ଯୋଗଦେଇ ରାଜ୍ୟ ସରକାରଙ୍କ ହୀନମାନ୍ୟତାକୁ କଟୁ ସାମଲୋଚନା କରିଥିଲେ । ଗ୍ରାମାଞ୍ଚଳ ମାନଙ୍କରେ ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଆବାସ ଓ ବିଜୁ ପକ୍କାଘର ଯୋଜନା ମାନ କାର୍ଯ୍ୟକାରୀ କରାଯାଉଥିବାବେଳେ ସେଗୁଡିକୁ ରାଜ୍ୟ ସରକାର ନିଜ ନାମରେ ପ୍ରଚାର କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ବିଜେପି ନେତା ଶ୍ରୀ ଧଳ କହିଛନ୍ତି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ଜରିଆରେ ନିର୍ମାଣାଧିନ ଗୃହ ଗୁଡିକରେ ରାଜ୍ୟ ସରକାରଙ୍କ ଛପାଥିବା ବିଜୁ ପକ୍କାଘର ପତ୍ର ଲଗାଯାଉଛି । ଅତି ସଂକ୍ଷିପ୍ତ ଭାବରେ କେନ୍ଦ୍ରୀୟ ଯୋଜନାର ନାମକୁ ଲେଖି ବୃହତ୍ତ ଭାବେ ବିଜୁ ପକ୍କାଘର ଲେଖାଥିବା ପତ୍ରକୁ ଗୃହର କାନ୍ଥରେ ମରାଯାଇ ସରକାର ଚତୁରତାର ସହିତ ନିଜର ପ୍ରଚାର କରୁଥିବା ଶ୍ରୀ ଧଳ ଅଭିଯୋଗ କରିଛନ୍ତି । ଏଥିରେ ପ୍ରଶାସନିକ ଅଧିକାରୀ ମାନେ ରାଜ୍ୟ ସରକାରଙ୍କ ଦଲାଲ ଭାବେ କାର୍ଯ୍ୟ କରୁଥିବା ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ମାନେ କହିିଛନ୍ତି । ଏପରିକି ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ପ୍ରାୟ ୮୯୫୫ଟି ଘର ଯୋଗାଯାଇଥିବାବେଳେ ମାତ୍ର ୧୦୪୫ଟିଘର ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନା ଅନ୍ତର୍ଭୁକ୍ତ । ବାକିଘର କେନ୍ଦ୍ରୀୟ ଯୋଜନାରେ ମିଳିଥିବାବେଳେ ସମସ୍ତ ହିତାଧିକାରୀଙ୍କୁ ରାଜ୍ୟ ସରକାର ଘର ଯୋଗାଇଥିବା କହି ସରକାରୀ କର୍ମଚାରୀମାନେ ପ୍ରଚାରପତ୍ର ଲଗାଉଥିବା ଶ୍ରୀଧଳ ଅଭିଯୋଗ କରିଥିଲେ । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ନାମରେ ବିଜେପି ଥାନାରେ ଏତଲା ଦେବ ବୋଲି ସୂଚନା ଦିଆଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସରପଞ୍ଚ ନମିତା ପାତ୍ର, ମଣିକାଞ୍ଚନ ସେନାପତି, କମଳ କୁମାର ନନ୍ଦ, ନିର୍ମଳ କର, ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲ, ପ୍ରଫୁଲ୍ଲ ସାହୁ, ମିଡିଆ ସଂଯୋଜନ ରବିନାରାୟଣ ସାହୁ, ବାବାଜୀ ଜେନା, ଜୟସ୍ମିତା ଗୋଚ୍ଛାୟତ, ରୁକ୍ମଣୀ ଦାସ, ତପସ୍ୱନୀ ମହାପାତ୍ର, ପ୍ରଦ୍ୟୁମ୍ନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ