ଆସନ୍ତା ୨୧ତାରିଖରୁ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ

ବାଲେଶ୍ୱର,(ଓ୍ବାଇଏନ୍ଏସ୍): ଆସନ୍ତା ୨୧ତାରିଖରୁ ବାଲେଶ୍ୱର ଜିଲ୍ଲାରେ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସେପ୍ଟେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି କ୍ରମରେ ଜିଲ୍ଲାର ସମସ୍ତ ୧ରୁ ୧୯ ବର୍ଷ ପିଲାଙ୍କୁ କୃମିନାଶକ ଔଷଧ ଦିଆଯିବ ଏ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୃମି ଯୋଗୁଁ ଶିଶୁ ରକ୍ତହୀନତା ଏବଂ ଅପପୁଷ୍ଟି ଜନିତ ରୋଗରେ ସଂକ୍ରମିତ ହେଉଥିବା ବେଳେ ତାର ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହୋଇଥାଏ । ତେଣୁ ସମସ୍ତ ଶିଶୁଙ୍କୁ କୃମିନାଶକ ଔଷଧ ଯେପରି ଦିଆଯାଇପାରିବ, ସେଥିନିମନ୍ତେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ସ୍କୁଲ ଓ ଗଣଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ଭଳି ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ କୁହାଯାଇଛି । କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟ କର୍ମୀ ମାନେ ପ୍ରତ୍ୟେକ ଘରକୁ ଯାଇ ସମସ୍ତ ପିଲାମାନଙ୍କୁ(୧-୧୯ବର୍ଷ) କୃମିନାଶକ ଔଷଧ(ଆଲବେଣ୍ଡାଜୋଲ) ଖୁଆଇବେ । ଗୃହ ପରିଦର୍ଶନ ସମୟରେ ନିଜର ମୁଖକୁ ମାସ୍କ ଦ୍ୱାରା ସମ୍ପୂର୍ଣ୍ଣ ଆବୃତ ରଖିବା ସହ ସମସ୍ତ ପରିବାର ସଦସ୍ୟ ମାସ୍କ ପିନ୍ଧିବା କଥାକୁ ସୁନିଶ୍ଚିତ କରିବେ । ସମସ୍ତଙ୍କ ଠାରୁ ୬ଫୁଟ ଶାରୀରିକ ଦୂରତା ବଜାୟ ରଖିବା ସହିତ ଟାବଲେଟ ଦେବା ପୂର୍ବରୁ ହାତକୁ ପାଣି ଓ ସାବୁନ ଦ୍ୱାରା ଭଲ ଭାବରେ ଧୋଇବେ କିମ୍ବା ସାନିଟାଇଜ କରିବେ । କୃମିନାଶକ ଔଷଧ ଦେବା ପୂର୍ବରୁ ଗୃହର ସଦସ୍ୟମାନଙ୍କ ସମ୍ବନ୍ଧରେ ଯାଂଚ କରିବେ । ଯଦି କୌଣସି କୋଭିଡ-୧୯ ରୋଗୀ ଘରେ ଥିବେ କିମ୍ବା କୌଣସି ସଦସ୍ୟଙ୍କର କୋଭିଡ-୧୯ ଲକ୍ଷଣ ଥିବ ତେବେ ସେହି ଘରେ କୃମିନାଶକ ଔଷଧ ଦେବା କାର୍ଯ୍ୟକ୍ରମ ବନ୍ଦ କରି ବ୍ଲକ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବେ । ସେହିପରି ଯେଉଁ ପିଲା ଅସୁସ୍ଥ ଥିବେ କିମ୍ବା ଅନ୍ୟ ଔଷଧ ସେବନ କରୁଥିବେ ସେମାନଙ୍କୁ କୃମିନାଶକ ଔଷଧ ଦିଆ ନ ଯାଇ ସୁସ୍ଥ ହେବା ପରେ ଦିଆଯିବାକୁ କୁହାଯାଇଛି । କେତେକ କ୍ଷେତ୍ରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ ୧୦୨ ଆମ୍ବୁଲାନ୍ସକୁ ଡାକିବା ବା ୧୦୮କୁ କଲ କରିବାକୁ ପରାମର୍ଶ ଦିଆଯାଇଛି । ୧ବର୍ଷରୁ ୩ ବର୍ଷ ବୟସ ମଧ୍ୟରେ ଥିବା ଶିଶୁମାନଙ୍କୁ କୃମିନାଶକ ଦ୍ରବଣ (ସିରପ) ଦିଆଯିବାକୁ ଥିବା ବେଳେ ୩ ବର୍ଷରୁ ୧୯ ବର୍ଷ ମଧ୍ୟରେ ଥିବା ପିଲାଙ୍କୁ କୃମିନାଶକ ବଟିକା ଚୋବାଇ ଖାଇବାକୁ ଦିଆଯିବ । ଜିଲ୍ଲାରେ ୬ ଲକ୍ଷ ୩୭ହଜାର ୫୬୫ ପିଲାଙ୍କୁ କୃମିନାଶକ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏତଦ୍ ବ୍ୟତୀତ ନିଜ ପରିବେଶକୁ ନିର୍ମଳ ରଖିବା, ବାହାରେ ମଳତ୍ୟାଗ ନ କରିବା, ଫଳ ଓ ପନିପରିବାକୁ ସଫା ପାଣିରେ ଧୋଇବା, ନଖ ପରିଷ୍କାର ରଖିବା ଏବଂ ଖାଇବା ପୂର୍ବରୁ ଓ ଶୌଚ ପରେ ହାତ ଧୋଇବା ପାଇଁ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ ସ୍ୱାସ୍ଥ୍ୟ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷା କରି ଏହାର ପରିଚାଳନା କରିବେ । ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଯେପରି ସମ୍ପୂର୍ଣ୍ଣ ସଫଳ ହୋଇପାରିବ ସେଥି ନିମନ୍ତେ ସବୁ ସ୍ତରରେ ଉଦ୍ୟମ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ