ଆସନ୍ତା ୨୫ରେ ରାସ୍ତା ଉନ୍ନତିକରଣ ଦାବୀରେ ଧାରଣା
ବନ୍ତ, (ଯୁଗାଦ୍ଧ ନ୍ୟୁଜ) : ବନ୍ତ ମୁଖ୍ୟ ରାସ୍ତା ଠାରୁ କୁମ୍ଭକରାଳ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଉନ୍ନତିକରଣ ଦାବୀ ନେଇ ଆସନ୍ତା ୨୫ ତାରିଖରେ କୁମ୍ଭକରାଳ ଗ୍ରାମବାସୀମାନେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଭଦ୍ରକ ଜିଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ବନ୍ତ ଥାନାଧିକାରୀଙ୍କୁ ଲିଖିତ ଜଣାଇଛନ୍ତି । ପ୍ରକାଶ ଯେ, ବନ୍ତ ରାଜ୍ୟ ରାଜପଥ ଠାରୁ କୁମ୍ଭକରାଳକୁ ଯାଇଥିବା ରାସ୍ତା ଆଜକୁ ୭ ବର୍ଷ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଛି । କିନ୍ତୁ ଏହି ରାସ୍ତାର ଉନ୍ନତିକରଣ ନେଇ ସଂପୃକ୍ତ ବିଭାଗ ପକ୍ଷରୁ କୌଣସି ନାଁଗନ୍ଧ ଧରାଯାଉନାହିଁ । ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ରାସ୍ତା ଉପରେ ଦୈନନ୍ଦିନ ଶହ ଶହ ଲୋକ ଯାତାୟତ କରୁଛନ୍ତି । ସେହିପରି ଗ୍ରାମର ପିଲା ମାନେ ବନ୍ତସ୍ଥିତ ହାଇସ୍କୁଲ, କଲେଜକୁ ଯିବା ଆସିବା କରୁଛନ୍ତି । ବର୍ଷାଦିନେ ଏହି ରାସ୍ତାରେ ଆଣ୍ଠୁଏ ପାଣି ଜମିରହିବା ଫଳରେ ଯାତାୟତରେ ସମସ୍ୟା ହେଉଛି । ରାସ୍ତା ସାରା ମେଣ୍ଟାଲ ଉଠିଥିବାରୁ ଖାଲି ପାଦରେ ଯିବା କଷ୍ଟକର ହୋଇପଡୁଛି । ଏପରିକି ରାସ୍ତା ଖରାପ ଯୋଗୁଁ ବହୁ ସମୟରେ ଦୁର୍ଘଟଣା ମାନ ଘଟୁଛି । ଏହି ରାସ୍ତାର ମରାମତି ନେଇ ଗ୍ରାମବାସୀ ମାନେ ବାରମ୍ବାର ଦାବୀ କରିଆସୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବାରୁ ଶେଷରେ ଗ୍ରାମବାସୀ ମାନେ ବାଧ୍ୟ ହୋଇ ଧାରଣା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି ।


