ଉତ୍କଳ ସାମ୍ବାଦିକ ସଂଘର ଘୋଷଣା ପ୍ରଦ୍ୟୁମ୍ନ ବଳଙ୍କ ଜନ୍ମତିଥିକୁ ମୂଲ୍ୟ ବୋଧଭିତ୍ତିକ ସାମ୍ବାଦିକତା ଦିବସ ଭାବରେ ପାଳନ ହେବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମ୍ବାଦିକକତାରେ ମୂଲ୍ୟବୋଧକୁ ବିଶ୍ୱାସ କରିବା ସହ ଜୀବନବ୍ୟାପୀ ମୂଲ୍ୟବୋଧର ପ୍ରଚାର ଓ ପ୍ରସାର କରି ଆସୁଥିବା ପ୍ରଗତିବାଦୀର ପ୍ରତିଷ୍ଠାତା ସମ୍ପାଦକ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ଜନ୍ମତିଥି (ନଭେମ୍ବର୮)କୁ ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତା ଦିବସ ଭାବେ ପାଳନ କରାଯିବ । ସ୍ୱର୍ଗତ ବଳଙ୍କ ୯୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ଏହା ଘୋଷଣା କରିଛନ୍ତି ।ଖାରବେଳ ନଗରସ୍ଥିତ ସଂଘ କାର୍ଯ୍ୟାଳୟରେ ମଙ୍ଗଳବାର ଅପରାହ୍ନରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସାଧାରଣ ସମ୍ପାଦକ ସନତ ମିଶ୍ର, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଉତ୍କଳ ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ପରାମର୍ଶଦାତା ବୈଷ୍ଣବ ଜେନା, ସାମ୍ବାଦିକ ନେତା ଭାଗବତ ତ୍ରିପାଠୀ, ସଞ୍ଜୟ ଦାସ, ପ୍ରଦ୍ୟୁମ୍ନ ଦାସ, ସାମ୍ବାଦିକ ଉନ୍ନୟନ ପରିଷଦର କୋଷାଧ୍ୟକ୍ଷ ନିମାଇଁ ଚରଣ ଦାସ, ଭାଷା ଆନ୍ଦୋଳନର ପୁରୋଧା ପବିତ୍ର ମହାରାଥା, ପୁରୀ ଜିଲ୍ଲା ସଭାପତି ତ୍ରିବିକ୍ରମ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରତାପ କୁମାର ପ୍ରଧାନ, କଟକ ଜିଲ୍ଲା ସଭାପତି ସତ୍ୟବ୍ରତ ଦାସ, ନବୀନ ଦାସ, କାର୍ଯ୍ୟାଳୟ ସମ୍ପାଦକ ଭରତ ବେହେରା, ଅଶୋକ କୁମାର ସାହୁ, ଜିତେନ୍ଦ୍ର ସାହୁ, ସୁଧାଂଶୁ ବାରିକ ଓ ବିଜୟ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବଳଙ୍କ ନିରପେକ୍ଷବାଦୀ, ସ୍ପଷ୍ଟବାଦୀ, ଭୟମୁକ୍ତ ତଥା ସର୍ବୋପରି ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତାର ନଜିରମାନ ଉପସ୍ଥାପନ ପୂର୍ବକ ସ୍ମୃତିଚାରଣ କରିଥିଲେ । ଯଦି ସାମ୍ବାଦିକତାରେ ମୂଲ୍ୟବୋଧ ନଥିବ, ତେବେ ତାହା ଜନସାଧାରଣଙ୍କ ଦ୍ୱାରା ଆଦୃତ ହେବ ନାହିଁ ତଥା ସରକାରୀସ୍ତରରେ ଗୁରୁତ୍ୱ ରହିବ ନାହିଁ । କିମ୍ବା ସମାଜରେ ସାମ୍ବାଦିକମାନେ ମର୍ଯ୍ୟାଦାବନ୍ତ ହେବେ ନାହିଁ ବୋଲି ସ୍ୱର୍ଗତ ବଳ କହୁଥିବା କଥା ମତ ପ୍ରକାଶ ପାଇଥିଲା । ଶେଷରେ ସଭାପତି ଶ୍ରୀ କର କହିଥିଲେ ଯେ, ଆଜିକାଲି ବହୁ ଯୁବକ ଯୁବତୀ ସାମ୍ବାଦିକତା ପ୍ରତି ଆକୃଷ୍ଟ ହେଉଛନ୍ତି, ସେମାନଙ୍କୁ ପ୍ରଦ୍ୟୁମ୍ନ ବଳଙ୍କ ଆଦର୍ଶରେ ଅନୁପ୍ରାଣିତ କରି ଉଚ୍ଚକୋଟିର ସାମ୍ବାଦିକ ଭାବେ ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯିବ । ତାହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ନଭେମ୍ବର ୮ ତାରିଖରେ ପ୍ରତ୍ୟେକ ଜିଲ୍ଲାସ୍ତରରେ ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତା ଦିବସ ପାଳନ କରାଯିବା ସହ ଆଲୋଚନା ଚକ୍ର ଓ କର୍ମଶାଳାମାନ ଆୟୋଜନ କରାଯିବ ବୋଲି ଶ୍ରୀ କର କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ