ଉତ୍ତର ପ୍ରଦେଶରେ ମୋଦି, ଯୋଗୀ ସରକାରର ଚାଷୀହତ୍ୟା ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସର ବିକ୍ଷୋଭ ଓ କ୍ୟାଣ୍ଡେଲ ଶୋଭାଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରରେ ମୋଦି, ଯୋଗୀ ସରକାର ଚାଷୀ ହତ୍ୟା ପ୍ରତିବାଦରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ଏବଂ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସୀର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମକର୍ତ୍ତାମାନେ ମାଷ୍ଟରକ୍ୟାଣ୍ଟିନ ଛକରେ ମୋଦି ଓ ଯୋଗୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏହାପରେ କ୍ୟାଣ୍ଡେଲ ଧରି ରାମ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇଥିଲେ । ସେଠାରେ ମୃତ କୃଷକଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ଏହି ପରିପ୍ରେକ୍ଷୀରେ ନୱାଜ କହିଥିଲେ ଯେ, ମୋଦି,ଯୋଗୀ ସରକାର ଚାଷୀଙ୍କ ରକ୍ତରେ ହୋଲି ଖେଳୁଛନ୍ତି । ଦେଶରେ ଗଣତନ୍ତ୍ରର ହତ୍ୟା ହେଉଛି । ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରଠାରେ ଆନ୍ଦୋଳନରତ ଚାଷୀଙ୍କୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗାଡ଼ି ଚଢାଇ ହତ୍ୟା କରିଛନ୍ତି । ଚାଷୀ ଆନ୍ଦୋଳନ ଚପାଇଦେବା ପାଇଁ ଏହା ମୁଖ୍ୟମନ୍ତ୍ରୀଙ୍କର ଏକ କୁତ୍ସିତ ଯୋଜନା । ମୁଖ୍ୟମନ୍ତ୍ରୀ ଯୋଗୀ ଏହି ହତ୍ୟାର ଷଡ଼ଯନ୍ତ୍ର ରଚନା କରିଛନ୍ତି । ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ସ୍ୱର ଉତ୍ତୋଳନ କରୁଥିବା ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ମୋଦି ସରକାର ପୋଲିସ୍ ଲଗାଇ ଯେଉଁ ଆଚରଣ କରିଛନ୍ତି ତାହା ଯୋଗୀଙ୍କ ହିଟଲରୀ ଶାସନକୁ ପ୍ରମାଣିତ କରୁଛି । ଛାତ୍ର କଂଗ୍ରେସ ପକ୍ଷରୁ ଯୋଗୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବା ସହ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କୁ ନରହତ୍ୟା ଅପରାଧରେ ଗିରଫ କରି ଦଣ୍ଡିତ କରିବାକୁ ଦାବି କରିଥିଲେ । ଏଥି ସହିତ ମୃତ ଚାଷୀଙ୍କ ପରିବାରଙ୍କୁ ୨କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସମ୍ପାଦିକା ସୁଶ୍ରୀ ଅନୁଲେଖା ବୋଷା, ନିହାର ବେହେରା, ଲିଙ୍ଗରାଜ ସାହୁ, ସୁନିଲ ମାଟିଆ, ରଞ୍ଜିତ ସେନାପତି, କାର୍ତ୍ତିକ କାଣ୍ଡି, ସାଗର ପଟ୍ଟନାୟକ, ଅଖିଳେଶ ଯାଦବ, ଅରମାନ ଜେନା, ଆର୍ଯ୍ୟନ ସାସମଲ, ଭାଗ୍ୟଶ୍ରୀ ମହାନ୍ତି, ମଧୁସ୍ମିତା ସାହୁ, ଶୁଭମ୍ ନନ୍ଦ, ସୂର୍ଯ୍ୟକାନ୍ତ ସାହୁ, ଲବୀନ ଅହମ୍ମଦ ପ୍ରମୁଖ ସାମିଲ୍ ଥିଲେ । ପ୍ରଦେଶ ଛାତ୍ର କଂଗ୍ରେସର ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘର ସଭାପତି ସଚିନ ମହାପାତ୍ର ଏବଂ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ