ଏପ୍ରିଲ୍ ୨୭ରେ ରାଜ୍ୟସ୍ତରୀୟ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବ୍ରିଟିଶମାନଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିଲା ଓଡ଼ିଶାର ଖୋର୍ଦ୍ଧାରୁ । ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦିଲ୍ଲୀର ବିଜ୍ଞାନ ଭବନରେ ମତବ୍ୟକ୍ତ କରିଥିଲେ । ସେହି ଅନୁସାରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ଓ ସିକ୍ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ, ଆସାମ ରେଜିମେଣ୍ଟ ପରି ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆସନ୍ତା ଏପ୍ରିଲ ୨୭ ତାରିଖ ଦିନ ଖୋର୍ଦ୍ଧାର ପାଇକମାନଙ୍କର ଆରାଧ୍ୟ ଦେବୀ ବରୁଣେଇଠାରୁ ଏକ ବିରାଟ ପାଇକ ଆଖଡ଼ା ଜନଗର୍ଜନ ଶୋଭାଯାତ୍ରା ବାହାରି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଦିବା ୧୦ ଘଟିକା ସମୟରେ ପହଂଚିବ । ଏହି ସମାବେଶରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ହଜାର ହଜାର ପାଇକ ଆଖଡ଼ା ଦଳ, ବୁଦ୍ଧିଜୀବୀ, ଐତିହାସିକ ଓ ସ୍ୱାଭିମାନୀ ଓଡ଼ିଶାବାସୀ ଯୋଗଦାନ କରିବେ । ଏହି ଜନଗର୍ଜନ ସମାବେଶ ଦିବା ୧୦ଘଟିକା ସମୟରେ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡ଼ିଆରେ ପହଂଚିବ ଓ ସେଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ ବୋଲି ଆଜି ହୋଟେଲ କେଶରୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବୀର ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ନରେନ୍ଦ୍ର ପୃଷ୍ଟି ଓ ଡଃ ଅଶୋକ ସୁନ୍ଦରାୟ ଉପସ୍ଥିତ ଥିଲେ । ଏହି ସମାବେଶରେ ଓଡ଼ିଶାର ସ୍ୱାଭିମାନ ଓ ବୀରତ୍ୱପୂର୍ଣ୍ଣ ଅସ୍ମିତାର ସୁରକ୍ଷା ପାଇଁ ଓଡ଼ିଶାବାସୀ ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ଏଥି ସହିତ ଯେଉଁ ପାଇକ ଆଖଡ଼ା ଦଳ ଓ ସ୍ୱାଭିମାନୀ ଓଡ଼ିଶାର ଭାଇଭଉଣୀମାନେ ଯୋଗଦାନ କରିବେ, ସେ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ଫୋନ୍ ନମ୍ବର ୬୩୭୧୫୦୧୧୨୬ ସହ ଯୋଗାଯୋଗ କଲେ ପାଇପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ