ଏବେ ବି ମନେପଡ଼େ ଆକାଶବାଣୀ କଟକ: ରବି ରାୟ

ଲୋକମାନଙ୍କୁ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ କରିବାର ଉଦ୍ଦେଶ୍ୟ ନେଇ ଅଶୀ ଦଶକରେ ସୃଷ୍ଟି ହୋଇଥିଲା “ଲୋକଶକ୍ତି ସଂଗଠନ’ । ଏହି ସଂଗଠନର ପରିକଳ୍ପିତ ପିତା ଥିଲେ ରବୀନ୍ଦ୍ର କୁମାର ରାୟ ଓରଫ୍ ରବି ରାୟ । “ଲୋକଶକ୍ତି ସଂଗଠନ’ ଥିଲା ଓଡ଼ିଶାର ପ୍ରଥମ “ପଞ୍ଜୀକୃତ ଷ୍ଟ୍ରିଟ୍ ପ୍ଲେ ଗ୍ରୁପ୍ । ନେଦରଲାଣ୍ଡ ସରକାର ଏହାକୁ ଫଣ୍ଡିଂ କରୁଥିଲେ । ଆଉ ଏହି ଗ୍ରୁପ୍ ଗାଁ ଗାଁ ବୁଲି ନାଟକ ଜରିଆରେ ଲୋକମାନଙ୍କୁ ସଚେତନ କରାଉଥିଲା । ସେତେବେଳେ ଏହି ଗ୍ରୁପ୍ରେ ୩୫ଜଣ ସଦସ୍ୟ ଥିଲେ । ଏମିତି ୭/୮ବର୍ଷ ଚାଲିବା ପରେ ନେଦରଲାଣ୍ଡ ସରକାର ଫଣ୍ଡିଂ ବନ୍ଦ କରିଦେଲେ । ଫଳରେ ପ୍ଲେ ଗ୍ରୁପ୍ ବନ୍ଦ ହୋଇଯିବା ଅବସ୍ଥାକୁ ଚାଲିଆସିଲା । କଳାକାରମାନେ ମଧ୍ୟ ଅସହାୟ ହୋଇପଡ଼ିଲେ । ତେବେ ଏତିକିବେଳେ ରବି ରାୟ ନିଷ୍ପତ୍ତି ନେଲେ, ନାଟ୍ୟସଂସ୍ଥା ବନ୍ଦ ହେବନି । ଏହି ସଂସ୍ଥା ନିଜେ ରୋଜଗାର କରିବ । ଆଉ ସେଇଥିରେ ତାହା ଆଗକୁ ବଢ଼ିବ । ବାସ୍, ଏହି ନିଷ୍ପତ୍ତିରୁ ସୃଷ୍ଟି ହେଲା ଆଜିର “ବାଘାଯତୀନ ଲୋକନାଟ୍ୟ’ ।
ରବି ରାୟ କହନ୍ତି, ଯେଉଁ ଉଦ୍ଦେଶ୍ୟ ନେଇ ପ୍ରଥମେ ଲୋକଶକ୍ତି ଏବଂ ପରେ ବାଘାଯତୀନ ଲୋକନାଟ୍ୟ ସୃଷ୍ଟିହେଲା ତାହାକୁ ମୁଁ ଏବେ ମଧ୍ୟ ଜାରି ରଖିଛି । ମୁଁ ଆଜି ବି ନାଟକ ଚୟନ କରିବା ବେଳେ ତା’ ଭିତରେ ସମାଜ ପ୍ରତି ଥିବା ବାର୍ତ୍ତା ଉପରେ ଗୁରୁତ୍ୱ ଦେଉଛି । “ସୀତାର ଜଳୁଛି ଚିତା’, “ମୃତ୍ୟୁଦଣ୍ଡ’, “ପାକିସ୍ତାନୀ ଝିଅ’ ଆଦି ଏହାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ । ଯାତ୍ରାଠୁ ଲୋକମାନେ ଦୂରେଇ ଯାଉଛନ୍ତି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରାୟ କହନ୍ତି, ଲୋକମାନେ ଯାତ୍ରାଠୁ ଦୂରଉ ନାହାନ୍ତି । ବରଂ ଯାତ୍ରା ଲୋକମାନଙ୍କଠାରୁ ଦୂରେଇ ଯାଉଛି । ନାଟକ ଉପରେ ଗୁରୁତ୍ୱ ଦିଆଯାଉନି । ଫାଟ ବଢୁଛି । ସପରିବାର ବସି ଦେଖିବା ଭଳି ନାଟକ ନାହିଁ । ସଂଳାପରେ ସଂଯମତା ନାହିଁ । କାହାଣୀ କୁଆଡ଼େ ଯାଉଛି ତା’ର ଠିକ୍ ଠିକଣା ନାହିଁ । କମେଡି ନାଁରେ ଖୋଲି ଭଲ୍ଗାର ବା ଅଶ୍ଳୀଳ କଥା । ତେଣୁ କାହିଁକି ଲୋକେ ନାଟକ ଦେଖିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ