ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ରାଜକନିକା ଖରସ୍ରୋତା ବଞ୍ଚାଅ ଆନ୍ଦୋଳନରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ବିନା ସର୍ତ୍ତରେ ଖଲାସ ଦାବିରେ ଆଜି ଏସୟୁସିଆଇ (କମ୍ୟୁନିଷ୍ଟ) ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣ ଦିଆଯାଇଥିଲା । ୧୭ ତାରିଖରେ ଆଦାନୀ କମ୍ପାନୀ ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବା ପାଇଁ ଚେଷ୍ଟା କରିବାରୁ ଆଳି ଏବଂ ରାଜକନିକା ଅଞ୍ଚଳର ହଜାର ହଜାର ଲୋକ ତାହାର ବିରୋଧ କରିଥିଲେ । ସେହିଦିନ ରାତି ଅଧରେ ପୋଲିସ ପ୍ରଶାସନ ପକ୍ଷରୁ ଆନ୍ଦୋଳକାରୀଙ୍କମାନଙ୍କ ମଧ୍ୟରୁ ୨୪ଜଣଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ବିନା ସର୍ତ୍ତରେ ଖଲାସ କରିବା ପାଇଁ, ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଥିବା ଅଞ୍ଚଳରୁ ୧୪୪ଧାରା ପ୍ରତ୍ୟାହାର ଓ ପୋଲିସ ଜୁଲମ ବନ୍ଦ କରିବା ସହିତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଥିବା ଉପର ମୁଣ୍ଡରେ ଏକ ଆନିକଟ ନିର୍ମାଣ କରାଯିବା ଦାବିରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହିତ ଦଳୀୟ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏହି ଧାରଣା କାର୍ଯ୍ୟକ୍ରମରେ ଏସୟୁସିଆଇ (କମ୍ୟୁନିଷ୍ଟ)ର ସାଙ୍ଗଠନିକ କମିଟିର ଆବାହିକା ଏଲିନା ସାମନ୍ତରାୟ, ମହିଳା ସାଂସ୍କୃତିକ ସଂଗଠନର ଜିଲ୍ଲା ସଭାନେତ୍ରୀ ହୀରାମଣୀ ରାଉତ, ରାଜ୍ୟ କମିଟି ସଦସ୍ୟ ବିଭୁତି ନାୟକ, ଅଲଇଣ୍ଡିଆ କୃଷକ କ୍ଷେତ ମଜଦୁର ସଂଘର ରାଜକନିକାର ବ୍ଲକ ସଭାପତି ଡଃ. ଅବନି ଦାସ, ଏସୟୁସିଆଇ ସଂଗଠନର ବରିଷ୍ଠ ସଦସ୍ୟ ରମାକାନ୍ତ ନାୟକ, ସଂଯୁକ୍ତା କର, ପବିତ୍ର ପଟ୍ଟନାୟକ ପ୍ରମୁଖ ଧାରଣାରେ ବସିଥିଲେ ।


