ଏ ବିଜୁଳି ବ୍ୟବସ୍ଥା କାହାପାଇଁ? ରହିଛି ଷ୍ଟ୍ରିଟ୍ ଲାଇଟ, ହେଲେ ଜଳୁନାହିଁ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାମସାଗର ଜଳାଶୟର ପାର୍ଶ୍ୱରେ ଦୀର୍ଘ ବର୍ଷ ହେଲା ଷ୍ଟ୍ରିଟ୍ ଲାଇଟ ବ୍ୟବସ୍ଥା କରାଯାଇଛି। ହେଲେ ଏହା ରାତ୍ର ସମୟରେ ଜଳୁନାହିଁ I ପଥଚାରୀମାନେ ଅନ୍ଧକାରରେ ଯାତାୟତ କରୁଛନ୍ତି। ଏହା ଦ୍ବାରା ବିଭିନ୍ନ ସମୟରେ ନାନାଦି ସମସ୍ୟା ଉପୁଜୁଥିବାବେଳେ ଦୁର୍ଘଟଣା ଘଟୁଥିବା ଅଞ୍ଚଳବାସୀ ଜଣାଇଛନ୍ତି। ଏନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ ଜଣାଇଛନ୍ତିଯେ ଏ ବିଜୁଳି ବ୍ୟବସ୍ଥା କାହାପାଇଁ ହୋଇଛି? ବିଜୁଳି ବତୀ ଜଳୁ ନ ଥିବା ନେଇ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ. ତେଣୁ ଏହି ରାସ୍ତାରେ ରାଜ୍ୟ ରାଜପଥର ସଂଯୋଗ ହୋଇଥିବା ଯୋଗୁଁ ଦୈନନ୍ଦିନ ଶହ ଶହ ଯାନବାହାନ ଯାତାୟତ କରୁଛି। ସେହିଭଳି ସହର ଉପକଣ୍ଠ କେରାଣ୍ଡି, ବି.ସୀତାପୁର, ଦେବିତି ସମେତ ଯାଜପୁର ଆଦି ଗ୍ରାମାଞ୍ଚଳ ଲୋକେ ଏହି ପଥ ଉପରେ ବିଶେଷ ଭାବେ ନିର୍ଭର କରି ଯାତାୟତ କରିଥାନ୍ତି। ସନ୍ଧ୍ୟା ସମୟରେ ଏହି ରାସ୍ତା ଚଳଚଞ୍ଚଳ ହୋଇଥାଏ। ଅନ୍ଧାରିଆ ହୋଇ ରହିଥିବା ଯୋଗୁଁ ପ୍ରାୟ ବର୍ଷକ ପୂର୍ବେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରାଯାଇଥିଲା। ଏହା ମାତ୍ର କିଛି ଦିନ କାର୍ଯ୍ୟକ୍ଷମ ହେବା ପରେ ବନ୍ଦ ହୋଇଯାଇଛି | ଲୋକେ ପୂର୍ବଭଳି ଅନ୍ଧାରରେ ନାନାଦି ସମସ୍ୟା ମଧ୍ୟରେ ଯାତାୟତ କରୁଛନ୍ତି। ତେଣୁ ଏହି ଷ୍ଟ୍ରିଟ୍ ଲାଇଟ୍ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବାକୁ ସାଧାରଣରେ ଦାବି ହୋଇଛି।


