କପାଳୀକ୍ଷେତ୍ର ନିମାପଡାରେ ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବ ଉଦ୍ଘାଟିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ମଙ୍ଗଳବାର ବନ୍ତ ବ୍ଲକ ନିମାପଡା କପାଳୀକ୍ଷେତ୍ର ଠାରେ ୮ମ ବାର୍ଷିକ ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ୫ ଦିନ ଧରି ଚାଲିବ । ପ୍ରାରମ୍ଭରେ କପାଳୀକ୍ଷେତ୍ରର ଅଧୀଶ୍ୱର ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ଆଜ୍ଞାମାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ରଜ କମିଟିର ସଦସ୍ୟ ମାନେ ମହାପ୍ରଭୁଙ୍କ ନିକଟରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତକ ମାନଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ପରେ ଆଜ୍ଞାମାଳକୁ ବାଦ୍ୟ ସଂର୍କୀର୍ତ୍ତନ ସହ ଶୋଭା ଯାତ୍ରାରେ ନେଇଥିଲେ । ମହାପ୍ରଭୁଙ୍କ ଆଜ୍ଞାମାଳକୁ ବିମାନ ଯୋଗେ କାନ୍ଧେଇ ଶୁଭ ମଶାଲ ଜଳାଇ ଏକ ବଡ ପଟୁଆରରେ ବିଭିନ୍ନ ଗ୍ରାମ ପରିକ୍ରମା କରି ମହୋତ୍ସବ ସ୍ଥଳରେ ପହଞ୍ଚାଇ ଥିଲେ । ନାଟ୍ୟକାର ଡଃ. ସୁଧାଂଶୁ ନାୟକଙ୍କ ଅଧ୍ୟକ୍ଷତା ତଥା ଶିକ୍ଷକ ରମାକାନ୍ତ ଜେନାଙ୍କ ଉପସ୍ଥାପନାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ବନ୍ତ ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନା, ଶିକ୍ଷାବିତ୍ ତଥା ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମା, ଅଧ୍ୟାପକ ତଥା ସାହିତ୍ୟିକ ଶୁଭେନ୍ଦ୍ର କୁମାର ମିଶ୍ର, ଅବସରପ୍ରାପ୍ତ ଅଧ୍ୟାପକ ରାଜ କିଶୋର ଆଚାରୀ, ସମାଜସେବୀ ସୁରେଶ ଦାସ ଯୋଗ ଦେଇ ରଜ ମହୋତ୍ସବ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମହୋତ୍ସବ କମିଟିର ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ।


