କଳା-କ୍ରୀଡ଼ା ଶିକ୍ଷକ ସଂଘ ପକ୍ଷରୁ ବର୍ଷିକିଆ ଚୁକ୍ତିନାମା ଦାବି
ବାଲେଶ୍ୱର, (ସରୋଜ ପଣ୍ଡା) : ବିଭିନ୍ନ ଦାବି ନେଇ କଳା ଓ କ୍ରୀଡ଼ା ଶିକ୍ଷକ ସଂଘ ବାଲେଶ୍ୱର ଶାଖା ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କୁ ମଙ୍ଗଳବାର ସାକ୍ଷାତ କରିଛନ୍ତି । ଚୁକ୍ତି ଭିତ୍ତିକ ଠିକା ଶିକ୍ଷକ ଭାବେ ସେମାନେ କାର୍ଯ୍ୟ କରୁଥିଲେ ବି ସେମାନଙ୍କ ସାମାଜିକ ସୁରକ୍ଷା ପ୍ରତି ସରକାର ଗୁରୁତ୍ୱ ଦେଉ ନଥିବା ସଂଘର କର୍ମକର୍ତ୍ତାମାନେ କହିଛନ୍ତି । ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ପ୍ରତି ୬ମାସରେ ସେମାନଙ୍କର ଚୁକ୍ତି ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ଅନୁସାରେ ଏହାକୁ ବର୍ଷିକିଆ କରିବା କଥା । ମାତ୍ର ସଦର ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ କ୍ରୀଡ଼ା ଓ କଳା ଶିକ୍ଷକଙ୍କୁ ପୂର୍ବଭଳି ୬ ମାସିଆ ଚୁକ୍ତି ପାଇଁ ବାଧ୍ୟ କରୁଥିବା ସେମାନେ କହିଛନ୍ତି । ଏମିତିକି ଯେଉଁ ଶିକ୍ଷକ ଚୁକ୍ତି ନ କରିବ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଧମକ ଦେଉଥିବା ସଙ୍ଘର କର୍ମକର୍ତ୍ତାମାନେ ଡିପିସିଙ୍କୁ ଅବଗତ କରିଛନ୍ତି । ବର୍ଷିକିଆ ଚକ୍ତିନାମା ପାଇଁ ସେମାନେ ଡିପିସି ବିଷ୍ଣୁ ମୋହନ ସୂତାରଙ୍କୁ ନିବେଦନ କରିଛନ୍ତି । ଖୁବଶୀଘ୍ର ଏନେଇ ଉଚିତ ପଦକ୍ଷେପ ନେବେ ବୋଲି ଶ୍ରୀ ସୂତାର କଳା ଓ କ୍ରୀଡ଼ା ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ ମନୋରଞ୍ଜନ ମହାନ୍ତି, ସୁବ୍ରତ କୁମାର ଗିରି, ଗୌରପ୍ରସାଦ ଦାସ, ବିଭୂତି ପ୍ରସାଦ ଦାସ, ଅରୁଣ କୁମାର ବାରିକ, ଗୀତାରାଣୀ ଦାସ, ସୂଚିତ୍ରା ଗିରି, ସବିତା ପାଲ, ସସ୍ମିତା ଗିରି ପ୍ରମୁଖ ଉପସ୍ଥିତ ଥିଲେ । ତେବେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ବିନା ସୂଚନାରେ ପ୍ରଥମେ ପୁଲିସ ହାଇସ୍କୁଲ ଆଗରେ ଧାରଣାରେ ବସିଥିଲେ । ପୁଲିସ ସେମାନଙ୍କୁ ଉଠାଇଦେବା ପରେ ସେମାନେ ଶେଷରେ ଡିପିସ କାର୍ଯ୍ୟାଳୟକୁ ଆସିଥିଲେ ।


