କାକଟପୁର ଓ ଅସ୍ତରଙ୍ଗ କୁ ମୋ ବସ ଚଳାଇବାକୁ ଦାବି
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର କାକଟପୁର ମା ମଙ୍ଗଳା ଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଥିବାବେଳେ ଅସ୍ତରଙ୍ଗ ସର୍ବଧର୍ମ ସମନ୍ୱୟ ର ପୀଠ ଜାହାନିଁଆ ପୀର, ଲବଣ ସତ୍ୟାଗ୍ରହ ପୀଠ କୁହୁଡ଼ି, ନୂଆଗଡ ମାଛଧରା ଜେଟି, ସହନ ଲୁଣା ଜଙ୍ଗଲ ପାଇଁ ପ୍ରସିଦ୍ଧି ଲାଭ କରିଛି। ବର୍ଷକ ବାର ମାସ ଏହି ଅଞ୍ଚଳ କୁ ରାଜ୍ଯ ଭିତରୁ ଓ ବାହାରୁ ଶହ ଶହ ଯାତ୍ରୀ,ପର୍ଯ୍ୟଟକ ଏହି ଅଞ୍ଚଳ କୁ ବୁଲିବାକୁ ଆସିଥାନ୍ତି। କିନ୍ତୁ ଦୁଃଖ ଓ ପରିତାପ ର ବିଷୟ ଯେ, ସଂଧ୍ୟା ହେଲେ କାକଟପୁର ଓ ଅସ୍ତରଙ୍ଗ ଠାରୁ କଟକ, ଭୁବନେଶ୍ୱର, ପୁରୀ ପ୍ରଭୁତି ଅଞ୍ଚଳକୁ କୌଣସି ଯାତ୍ରୀବାହୀ ବସ ଚଳାଚଳକରୁନାହିଁ। ଫଳରେ ଯାତ୍ରୀ, ପର୍ଯ୍ୟଟକ, ଭକ୍ତ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳ କୁ ପିପିଲି,ନିମାପଡ଼ା, ଚାରିଛକ, ନୟାହାଟ ଦେଇ ମୋ ବସ ଚଳାଇବାକୁ ଚାରିଛକ ବରିଷ୍ଠ ନାଗରିକ ମଞ୍ଚ,ଚାରିଛକ ପ୍ରେସ କ୍ଲବ ଓ ଚାରିଛକ ବ୍ୟବସାୟୀ ସଂଘ ପକ୍ଷରୁ ପୃଥକ ପୃଥକ ଦାବିପତ୍ର ନିମାପଡା ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କୁ ପ୍ରଦାନ କରାଯାଇଛି। ମନ୍ତ୍ରୀ ଶ୍ରୀ ଦାଶ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳ କୁ ମୋ ବସ ଚଳାଇବା ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବି କରାଯାଇଛି।


