କାକଟପୁର ଥାନା ଏସଆଇଙ୍କୁ ଆକ୍ରମଣ ଘଟଣା;୨ ଅଭିଯୁକ୍ତଙ୍କୁ ଫେରାର ଘୋଷଣା କଲେ ଅଦାଲତ
ନାଉଗାଁ,(ଓ୍ବାଇଏନ୍ଏସ୍): ପୁରୀ ଜିଲ୍ଲା ଅନ୍ତର୍ଗତ କାକଟପୁର ଥାନା ପକ୍ଷରୁ ଥାନାଧିକାରୀ ସୁଜିତ କୁମାର ଦାସ ଓ ଅନ୍ୟମାନେ ବିଶେଷ ସୂତ୍ରରୁ ଖବର ପାଇ ଭଣ୍ଡିସାହି ଜୁଆଆଡ୍ଡା ଉପରେ ଜୁଲାଇ ୨୪ ତାରିଖରେ ଚଢାଉ କରାଯାଇ ଜୁଆଡିଙ୍କ ସମେତ କେତେକ ସାମଗ୍ରୀ ଜବତ କରିଥିଲେ । ଜୁଆଡିଙ୍କୁ ନେଇ ଯିବା ସମୟରେ ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖରଘାଟ ସେତୁ ନିକଟରେ କିଛି ଦୁବୃତ ପୋଲିସ ଏସଆଇ ସୂର୍ଯ୍ୟମଣି ମାଝି ଙ୍କ ଉପରକୁ ଆକ୍ରମଣ କରିବା ସହିତ ବନ୍ଧୁକ ଆଦି ଛଡାଇ ନେଇଯାଇଥିଲେ । ସଂପୃକ୍ତ ଅଭିଯୁକ୍ତଙ୍କ ନାମରେ କାକଟପୁର ଥାନା ପକ୍ଷରୁ ୧୪୨/୨୦୨୦ ରେ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ସେଥିମଧ୍ୟରୁ ୨ଜଣ ଅଭିଯୁକ୍ତ ଫେରାର ହୋଇଥିଲେ । ବିଭିନ୍ନ ସ୍ଥାନରେ କାକଟପୁର ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲେ ମଧ୍ୟ ୨ ଅଭିଯୁକ୍ତକୁ ପୋଲିସ ଧରିବାରେ ସକ୍ଷମ ହୋଇ ନଥିଲେ । ପରବର୍ତି ସମୟରେ ଉକ୍ତ ୨ ଅଭିଯୁକ୍ତକୁ ଧରିବା ପାଇଁ ଜେଏମଏଫସି କୋର୍ଟରେ ଆବେଦନ କରିଥିଲେ । କୋର୍ଟ ପକ୍ଷରୁ ଉକ୍ତ ୨ ଜଣ ଅଭିଯୁକ୍ତ ଫେରାର ଥିବା ଅନୁଭବ କରି ସେପ୍ଟମ୍ବର ୧୦ ତାରିଖରେ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନୋଟିସ ପ୍ରଦାନ କରାଯାଇଛି । ଫେରାର ଥିବା ଅଭିଯୁକ୍ତ ୨ଜଣ ହେଲେ ନାଉଗାଁ ଥାନା ଅନ୍ତର୍ଗତ ଓଷକଣା ପଂଚାୟତ ଓଷକଣା ଗ୍ରାମର ନରେଶ ସ୍ୱାଇଁ ଓରଫ କାଳିଆ, ଜ୍ଞାନରଂଜନ ସାହୁ । ମାନ୍ୟବର କୋର୍ଟ ପକ୍ଷରୁ ଉକ୍ତ ୨ ଜଣଙ୍କୁ ୧୦ ନଭେମ୍ବର ୨୦୨୦ ମଧ୍ୟରେ କୋର୍ଟରେ ହାଜିର ହେବା ପାଇଁ ନୋଟିସରେ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଯଦି ଉକ୍ତ ସମୟ ମଧ୍ୟରେ ୨ଜଣ କୋର୍ଟରେ ହାଜିର ନହେଲେ ତେବେ ତାଙ୍କର ସମସ୍ତ ସ୍ଥାବର,ଅସ୍ଥାବର ସଂପତିକୁ ବ୍ୟାଜାପ୍ତି କରାଯିବ ବୋଲି ନିର୍ଦ୍ଦେଶ ରହିଛି । କୋର୍ଟ ନୋଟିସ ପ୍ରଦାନ କରିବା ପରେ କାକଟପୁର ଥାନା ପକ୍ଷରୁ ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯିବା ସହିତ ସେମାନଙ୍କ ଫଟୋକୁ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଲଗାଯାଇଛି । ଉକ୍ତ ୨ଜଣଙ୍କ ବିଷୟରେ ଯେଉଁ ବ୍ୟକ୍ତି ସୂଚନା ପ୍ରଦାନ କରିବେ ସେମାନଙ୍କ ନାମ ଗୋପନ ରଖାଯିବା ସହ ପୋଲିସ ପକ୍ଷରୁ ପୁରଷ୍କୃତ କରାଯିବ ବୋଲି କୁହାଯାଇଛି । ସେହିପରି ନାଉଗାଁ ଥାନା ,ନାଉଗାଁ ବଜାର,ବ୍ଳକ ଛକ, ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟ, ୟୁକୋ ବ୍ୟାଙ୍କ କଂଟୁଣିଆ,ଗଙ୍ଗଦା ବଜାର,ଓଷକଣା ପଂଚାୟତ ସମିତି କାର୍ଯ୍ୟାଳୟରେ ସେମାନଙ୍କ ଫଟୋ ସହ ନୋଟିସ ଲଗାଯାଇଛି । ଏସଂପର୍କରେ କାକାଟପୁର ଥାନାଧିକାରୀ ସୁଜିତ କୁମାର ଦାସଙ୍କୁ ପଚାରିବାରୁ ଶିଖରଘାଟ ସେତୁ ନିକଟରେ ପୋଲିସକୁ କିଛି ଦୁବୃତ ଆକ୍ରମଣ କରି ବନ୍ଧୁକ ଆଦି ଛଡାଇ ଥିଲେ । କିଛି ଅଭିଯୁକ୍ତଙ୍କୁ ଧରାଯାଇ ହାଜତକୁ ପଠାଯାଇଥିବା ବେଳେ ୨ଜଣ ବର୍ତମାନ ସୁଦ୍ଧା ଫେରାର ଅଛନ୍ତି । ବିଭିନ୍ନ ସ୍ଥାନରେ ଚଢାଉ କଲେ ମଧ୍ୟ ସେମାନଙ୍କୁ ଧରାଯାଇ ନପାରିବାରୁ ସେମାନେ ପଳାତକ ଥିବା ଅଦାଲତ ଘୋଷଣା କରିଛନ୍ତି । ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯିବା ସହିତ ସେମାନଙ୍କ ଫଟୋକୁ ବିଭିନ୍ନ ସ୍ଥାନରେ ଲଗା ଯାଇଥିବା ପ୍ରକାଶ କରିଛନ୍ତି ।


