କୃଷି ବିଲ୍ ବିରୋଧରେ ଚକା ବନ୍ଦ ଆନ୍ଦୋଳନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ନରେନ୍ଦ୍ର ମୋଦି ଚାଷୀଙ୍କ ସହ ଚରମ ବିଶ୍ୱାସଘାତକତା କରିଛନ୍ତି । ପ୍ରଥମଥର ସରକାର ଆସିବା ପୂର୍ବରୁ କହିଥିଲେ ମୁଁ କ୍ଷମତାକୁ ଆସିବାକ୍ଷଣି ଚାଷୀଙ୍କ ପାଇଁ ସ୍ୱାମୀନାଥନ କମିଶନ ଲାଗୁ କରିଛି । ପ୍ରଥମ ପାଳିରେ ଧୋକାବାଜ କଲେ କଲେ, ଦ୍ୱିତୀୟ ପାଳିରେ କୃଷି ଓ କୃଷକ ବିରୋଧୀ କୃଷି ଆଇନ୍ ଆଣି ଚାଷର ସର୍ବନାଶ ସ୍ଥିତି ସୃଷ୍ଟି କରିଛନ୍ତି । କେବଳ କୃଷକର ପେଟକୁ ନାତ ମାରି ନାହାଁନ୍ତି, ଗରିବ ଲୋକ ପଖାଳ କଂସାରୁ ଆଳୁ ପିଆଜ ଛଡ଼ାଇ ନେବା ଭଳି ଉଦ୍ୟମ କରିଛନ୍ତି । ଗରିବ ଲୋକ, ଖାଉଟି ଓ କୃଷକ କିଭଳି ଅଭାବ ଅନଟନ ଓ ଅନାହାରରେ ଆତ୍ମହତ୍ୟା କରିବେ, ସେଥିପାଇଁ କୃଷି ବିଲ୍ ଏକ ବିରାଟ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ଦେଶର ସାଧାରଣ ଜନତା ଓ ଚାଷୀଙ୍କ ସଶକ୍ତ ସଂଗଠନ ଅଭାବରୁ ସରକାର ଚାଷୀ ବିରୋଧୀ କାନୁନ୍ ଆଣିଛନ୍ତି । ଏଥର ଚାଷୀମାନେ ପ୍ରମାଣ କରିଦେବେ ଯେ, କୃଷକମାନେ ଚୌକିରୁ ନେତାକଙ୍କୁ ଓହ୍ଲାଇ ଦେଇପାରନ୍ତି । ଏକଥା ଆଜିର ବିକ୍ଷୋଭ ଓ ଚକାବନ୍ଦରେ ଚାଷୀମାନଙ୍କୁ ଉଦ୍ବୋଧନ ଦେଇ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି ।
ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ପ୍ରଧାନମନ୍ତ୍ରୀଙ୍କୁ କଠୋର ସମାଲୋଚନା କରି କହିଲେ ଯେ, ଲକ୍ଡ଼ାଉନ୍, ସଟଡ଼ାଉନରେ ପ୍ରମାଣ ମିଳିଗଲା ଯେ, କୃଷି ଅର୍ଥନୀତି ଚିରସ୍ଥାୟୀ ବ୍ୟବସ୍ଥା । ଶିଳ୍ପ ବ୍ୟବସାୟ ଅସ୍ଥାୟୀ । ଏଣୁ ଦେଶର ଚିରସ୍ଥାୟୀ ଅର୍ଥନୀତି ବ୍ୟବସ୍ଥା କୃଷିକ୍ଷେତ୍ର ଓ ବିଶାଳ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଜାରରୁ ସେମାନଙ୍କ ବ୍ୟବସାୟୀ ବନ୍ଧୁଙ୍କ ହାତରେ ଟେକି ଦେବା ପାଇଁ ସେ କରୋନା ସମୟରେ ରାତିଅଧିଆ ଏହି ବିଲ୍ ପାଶ୍ କରିଛନ୍ତି । ଆଳୁ, ପିଆଜ ଓ ତେଲକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରୁ କିଭଳି ବାଦ୍ ଦିଆଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।ଆଜିର ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ରାଜ୍ୟ ସଂଯୋଜକ ଉମାକାନ୍ତ ଭାରତ, ଯୁବଛାତ୍ର ସଂଗଠନର ରାଜ୍ୟ ସଭାପତି ମନୱର ଅଲ୍ଲୀ, ରାଜ୍ୟ କମିଟି ସଭ୍ୟ ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କିଶୋର, ଭାରତ ଚନ୍ଦ୍ର ସ୍ୱାଇଁ, ଗୋବିନ୍ଦ ମହାପାତ୍ର, ସୁବାଷ ଚନ୍ଦ୍ର ପଣ୍ଡା, ମହେଶ୍ୱର ଜେନା, ଯାଜପୁର ସଂଯୋଜକ ଦୁର୍ଗାପ୍ରସାଦ ଦାଶ, ଗାନ୍ଧିବାଦୀ ଯୁବକର୍ମୀ ରାଜନାରାୟଣ ଜେନା, ଅଶ୍ୱିନୀ ଜେନା, ସୁରେଶ ଚନ୍ଦ୍ର ମାନସିଂ, ଜୟନ୍ତ ତ୍ରିପାଠୀ, ପ୍ରଶାନ୍ତ ଲେଙ୍କା, ମଦନ ସାହୁ, ରଣଜିତ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ ।ହାଇଟେକ ଛକରେ ଦର୍ଘ ସମୟ ଧରି ଆନ୍ଦୋଳନକାରୀମାନେ ରାସ୍ତାରୋକ କରିବା ପରେ ପୋଲିସ୍ ଆନ୍ଦୋଳନକାରୀମାନଙ୍କୁ ଗିରଫ କରି ନେଇଥିଲେ । ଏହି ଆନ୍ଦୋଳନ ଆଗକୁ ବିଭିନ୍ନ ପର୍ଯ୍ୟାୟରେ ଚାଲିବ ବୋଲି ସଂଗଠନ ତରଫରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ସର୍ବଭାରତୀୟ କୃଷକ ସଂଗଠନ ସମନ୍ୱୟ ସମିତି ଆହ୍ୱାନରେ ଏହି ଚକାବନ୍ଦ ଡ଼କରା ଦିଆଯାଇଥିଲା ।


