କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଞ୍ଚଳର ସମସ୍ୟା ଜଣାଇଲେ ଯୁବମୋର୍ଚ୍ଚା ସଭାପତି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରି ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । କନ୍ଧମାଳ ଜିଲ୍ଲା ପ୍ରତିଟି କ୍ଷେତ୍ରରେ ଏକ ଅବହେଳିତ ଜିଲ୍ଲା ହୋଇ ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ଏହା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ସତ୍ବେ ଶିକ୍ଷା ସ୍ବାସ୍ଥ୍ୟ ରୋଜଗାର ଗମନା ଗମନ କ୍ଷେତ୍ରରେ ଜିଲ୍ଲା ପ୍ରତି ଅଣଦେଖା କାରଣରୁ ଅବହେଳିତ ହୋଇ ରହିଛି । ୧୨ ଗୋଟି ବ୍ଲକ (୧୭୧ ପଞ୍ଚାୟତ) ଦୁଇଟି ଏନ୍ ଏ ସି ଏବଂ ଗୋଟିଏ ମୁନିସିପାଲିଟିକୁ ନେଇ ଗଠିତ କନ୍ଧମାଳ ଜିଲ୍ଲାରେ ସ୍ଥାନୀୟ ରୋଜଗାର ପାଇଁ କୌଣସି ବାଟ ନଥିବା କାରଣରୁ କନ୍ଧମାଳ ଜିଲ୍ଲା ଆଜି ଏକ ଦାଦନ ବହୁଳ ଜିଲ୍ଲା ଭାବେ ପରିଗଣିତ ହେଉଛି । ଗ୍ରାମାଞ୍ଚଳରେ ଚାଷ ପ୍ରତି ଲୋକଙ୍କ ଆଗ୍ରହ ଥିଲେ ସୁଦ୍ଧା କୌଣସି ସୁବିଧା ସିଧାସଳଖ ପହଞ୍ଚି ପାରୁନଥିବା କାରଣରୁ ଲୋକ ବାଟବଣା ହୋଇ ରହିଛନ୍ତି। ଜିଲ୍ଲାରେ ରୋଜଗାରର ବାଟ ଲଘୁ ବନଜାତ ଦ୍ରବ୍ୟ ହୋଇଥିବା ବେଳେ ବାରମ୍ବାର ଦାବି ସତ୍ତ୍ୱେ ଏହାକୁ କିଣିବା ପାଇଁ କୌଣସି ପନ୍ଥା ଗ୍ରହଣ କରାଯାଉନଥିବାରୁ ଉଚିତ୍ ମୂଲ୍ୟ ନପାଇ ଶାଗ ମାଛ ଦରରେ ଏହାକୁ ବିକିବା ପାଇଁ ବାଧ୍ୟ ହେଉଛନ୍ତି । ସ୍ଥାନୀୟ ସ୍ତରରେ ଥିବା ଶିକ୍ଷା କ୍ଷେତ୍ର ମାନଙ୍କରେ ଆଦିବାସୀ ଛାତ୍ର ଛାତ୍ରୀ ଉଚିତ୍ ଶିକ୍ଷା ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ମତ ଦେଇ ଥିଲେ । କନ୍ଧମାଳ ଜିଲ୍ଲାରେ ଥିବା ପର୍ୟ୍ୟଟନ ସ୍ଥଳୀ ଗୁଡିକ ବାହାର ପର୍ୟ୍ୟଟକ ମାନଙ୍କୁ ଆକର୍ଷିତ କରୁଥିଲେ ସୁଦ୍ଧା ଗମନାଗମନ ଓ ସୁରକ୍ଷା ପାଇଁ ଆବଶ୍ୟକୀୟ ସୁବିଧା ନଥିବାରୁ ପର୍ୟ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ବିଦେଶୀ ପର୍ୟ୍ୟଟକ ମାନେ ମଧ୍ୟ କନ୍ଧମାଳକୁ ପରିଭ୍ରମଣ ପାଇଁ ଆସୁଥିବା ବେଳେ ତାଙ୍କ ସୁରକ୍ଷା ପ୍ରତି ଅଣଦେଖା କରିବା ଯୋଗୁଁ ଧିରେ ଧିରେ ଏହା ବହୁଳ ମାତ୍ରାରେ କମିବାରେ ଲାଗିଛି । ପ୍ରାକୃତିକ ସୌନ୍ଦର୍ୟ୍ୟ ଭରା ପର୍ୟ୍ୟଟନ ସ୍ଥଳୀ ମାନଙ୍କ ପ୍ରଚାର ପ୍ରସାର ପ୍ରତି ଅଧିକ ଧ୍ୟାନ ଦେଲେ କନ୍ଧମାଳ ଆହୁରି ଆଗକୁ ବଢି ପାରନ୍ତା ଭଳି ଅନେକ ବିଷୟ ଏବଂ ଅନ୍ୟାନ୍ୟ ରାଜନୈତିକ ବିଷୟ ଉପରେ ଦିର୍ଘ ସମୟ ଆଲୋଚନା କରିଥିବା ଶ୍ରୀ କହଁର କହିଛନ୍ତି । ଏହି ସାକ୍ଷାତ ଓ ଆଲୋଚନା ଅବସରରେ ତାଙ୍କ ସହ ରାଜ୍ୟ ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ମିଶ୍ର ଏବଂ କନ୍ଧମାଳ ଜିଲ୍ଲା ପ୍ରଭାରୀ ନାରାୟଣ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ