କେନ୍ଦ୍ରାପଡାରେ ଅଗଷ୍ଟ୯କ୍ରାନ୍ତୀ ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ୧୫୦ତମ ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ଆନୁକୁଲ୍ୟରେ କେନ୍ଦ୍ରାପଡାରେ ଅଗଷ୍ଟ ୯ କ୍ରାନ୍ତୀ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗରାପୁର ଡାକବଙ୍ଗଳାଛକରେ ଥିବା ଜାତିର ପିତା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ସୋମବାର ସକାଳେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ପରେ ଡାକବଙ୍ଗଳା ପରିସରରେ ବିଶିଷ୍ଟ ଗାନ୍ଧୀବାଦୀ ନେତା ଭଜକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅଗଷ୍ଟକ୍ରାନ୍ତୀ ଦିବସ ପାଳନ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ୧୯୩୪ମସିହା କେନ୍ଦ୍ରାପଡା ପଦଯାତ୍ରା ସମଗ୍ର ଜିଲ୍ଲାକୁ ଗାନ୍ଧୀ ଆଦର୍ଶର ବାର୍ତ୍ତା ଦେବ ବୋଲି ବକ୍ତବ୍ୟ ରଖିଥିଲେ । ଗରାପୁର ଡାକବଙ୍ଗଳାକୁ ଗାନ୍ଧୀ ସ୍ମୃତିପୀଠର ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅବଗତ କରାଇବେ ଓ ଆଗାମୀ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ଏହାକୁ ଗାନ୍ଧୀ ସ୍ମୃତିଭବନରେ ପରିଣତ କରାଯିବ ବୋଲି ବିଧାୟକ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ପ୍ରାକ୍ତନ କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ତୁଳସୀକ୍ଷେତ୍ରର ଗବେଷକ ସାରସ୍ୱତ ସାଧକ ଡଃ. ବାସୁଦେବ ଦାସ, ତୁଳସୀ ମହିଳା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅଜୟ ସାମଲପୂର୍ବତନ ପୈାରାଧ୍ୟକ୍ଷ ଧିରେନ ସାହୁ, ଗାନ୍ଧୀ ପଦଯାତ୍ରା ସ୍ମୃତି କମିଟିର ସଂଯୋଜକ ଡଃ. ଗଦାଧର ମଲ୍ଲିକ ଓ ସ୍ମୃତି କମିଟି ଆବାହକ ରାଜେଶ ପଣ୍ଡା ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବୀତ ହେମନ୍ତ ଜେନା, କବୟତ୍ରୀ ଅବନ୍ତୀ ବେହେରା,ସରପଞ୍ଚ ନରହରି ପାଣି, ଆଲୋକ ସାହୁ, ମିନତୀ ପରିଡା, ସୀତାସୁନ୍ଦରୀ ମଲ୍ଲିକ, ରବୀନ୍ଦ୍ର ପରିଡା, ରଣଧୀର ଜେନା ପ୍ରମୁଖ ଗାନ୍ଧୀପ୍ରେମୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ପ୍ରାକ୍ତନ ପୈାରାଧ୍ୟକ୍ଷା ରୋସ୍ôନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


