କୋଣାର୍କ ଉତ୍ସବ ଉପଲକ୍ଷେ ଉପଭୋକ୍ତା ପ୍ରଦର୍ଶନୀ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଉତ୍ସବ ଅବସରରେ ନିମାପଡ଼ା ଅଂଚଳର ଅଗ୍ରଣୀ ସାମାଜିକ ସଂଗଠନ ନିହିଡା ପକ୍ଷରୁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ପୁରୀ ଜିଲ୍ଲା ନିୟନ୍ତ୍ରକ ଓଜନ ଓ ମାପ ବିଭାଗ ମିଳିତ ଆନୁକୁଲ୍ୟରେ ୫ଦିନିଆ ଖାଉଟି ସୁରକ୍ଷା ସମ୍ପର୍କିତ ଉପଭୋକ୍ତା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିହିଡା ପକ୍ଷରୁ ହେଲିପ୍ଯାଡ଼ ଠାରେ ଅନୁଷ୍ଠିତ ଏହି ଉପଭୋକ୍ତା ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ପ୍ରଗତି ନାୟକ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫ଦିନ ବ୍ୟାପି ବ୍ଯାନର, ପୋଷ୍ଟର ଓ ଖାଉଟି ସୁରକ୍ଷା ସମ୍ପର୍କିତ ଲିଫଲେଟ ଉପଭୋକ୍ତା ମାନଙ୍କୁ ବଣ୍ଟନ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଖାଉଟି ମାନଙ୍କୁ ସଠିକ ଭାବେ ମାପ ଓ ଓଜନକୁ ପରଖି ଦ୍ରବ୍ୟ କିଣିବା ସହିତ ବିକ୍ରେତାଙ୍କ ଠାରୁ ରସିଦ ସଂଗ୍ରହ କରିବା ଉପରେ ଶ୍ରୀମତୀ ନାୟକ ଏହି ପରିପ୍ରେକ୍ଷୀରେ ପରାମର୍ଶ ଦେଇଥିଲେ। ଏହି ଅବସରରେ ସାମାଜିକ ସଂଗଠନ ନିହିଡା ପକ୍ଷରୁ କୋଣାର୍କ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଖାଉଟି ସୁରକ୍ଷା ସମ୍ପର୍କିତ ବକ୍ତୃତା, ରଚନା ଓ ଖାଉଟି ସୁରକ୍ଷା ସମ୍ପର୍କିତ ସ୍ଲୋଗାନ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ନିହିଡା ପକ୍ଷରୁ ମାନପତ୍ର ଓ କପସିଲ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପ୍ରତିନିଧି ସନନ୍ଦ ନାୟକଙ୍କ ସମେତ ୬ଜଣ ବରିଷ୍ଠ ପ୍ରଶାସକ ଓ ପ୍ରଶିକ୍ଷକ ମାନେ ଉପସ୍ଥିତ ରହି ଖାଉଟି ମାନଙ୍କୁ ସଚେତନତା କରିବା ସହ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିହିଡାର ସଂପାଦକ ଭକ୍ତ ବିହାରୀ ମିଶ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ, ଲକ୍ଷ୍ୟ ଓ ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାମାଜିକ ସଂଗଠନ ନିହିଡାର ସଂଯୋଜକ ଶଶୀ ଶେଖର ପଣ୍ଡା, ମାନସ କୁମାର ପ୍ରଧାନ ଓ ମୁନା ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।


