ମହିଳା ସାମ୍ବାଦିକଙ୍କୁ ହତ୍ୟା ଧମକ ଓ ଅଶ୍ଳିଳ ଭାଷାରେ ଗାଳି ଗୁଲଜ ଅଭିଯୋଗରେ ଯୁବକ ଗିରଫ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଏକ ଦୈନିକ ଖବରକାଗଜ କାଗଜରେ କାର୍ଯ୍ୟରତ ଜଣେ ମହିଳା ସାମ୍ବାଦିକଙ୍କ ଘରେ ପଶି ଆକ୍ରମଣ କରିବା, ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ଓ ହତ୍ୟା ଧମକ ଅଭିଯୋଗରେ କୋଣାର୍କ ଥାନା ପୋଲିସ ଆଜି ଜଣେ ଅସାମାଜିକ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ର ପରିଚୟ ହେଲା ଏହି ଥାନା ଅଧୀନ ମୁଳିସାହି, ମାଟିଆ ପଡ଼ା ଗ୍ରାମର ଶରତ କାଣ୍ଡିଙ୍କ ପୁତ୍ର ମାନସ କାଣ୍ଡି ଅଟେ। ଖବର ରୁ ପ୍ରକାଶ ଯେ ଏହି ଥାନା ଅଧୀନ ମୁଳି ସାହିରେ ରିତାରାଣି ସେଠ ନାମ୍ନୀ ଜଣେ ମହିଳା ସାମ୍ବାଦିକ ପରିବାର ସହିତ ରହୁଛନ୍ତି। ଚଳିତ ମାସ ୩ ତାରିଖ ରାତ୍ର ପ୍ରାୟ ୧୧ ଟା ସମୟରେ ଅଭିଯୁକ୍ତ ମାନସ ତାଙ୍କ ଘର ନିକଟକୁ ଯାଇ କାହିଁକି ତା ବିରୋଧରେ ଖବର ଛାପି ଥିଲେ ବୋଲି କହି ତାଙ୍କ ଚରିତ୍ର ସହଁ।ର କରି ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରି ଥିଲା। ସାମ୍ବାଦିକ ଶ୍ରୀମତୀ ସେଠ କାହିଁକି ଗାଳି ଗୁଲଜ କରୁଛ ବୋଲି ପ୍ରତିବାଦ କରିବାରୁ ଅଭିଯୁକ୍ତ ମାନସ ଅଧିକ ଉତଖିପ୍ତ ହୋଇ ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନରେ ମାରି ଦେବାକୁ ହତ୍ୟା ଧମକ ଦେଇ ଥିଲା। ଏନେଇ ମହିଳା ସାମ୍ବାଦିକ ରିତା ଡିସେମ୍ବର ୩ ତାରିଖ ରାତ୍ରୀରେ ଥାନାରେ ଏକ ଲିଖିତ ଏତଲା ଦାଏର କରିଥିଲେ। କିନ୍ତୁ କୋଣାର୍କ ମହୋତ୍ସବ ଚାଲି ଥିବାରୁ ପୋଲିସ ବ୍ୟସ୍ତ ଥିବା ଦର୍ଶାଇ କୌଣସି ମାମଲା ରୁଜୁ କରି ନ ଥିଲା। ଏନେଇ ମହିଳା ସାମ୍ବାଦିକ ଜଣକ ଜିଲ୍ଲା ଏସପି ଡକ୍ଟର କନ୍ଵର ବିଶାଲ ସିଂଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇ ଥିଲେ। ଜିଲ୍ଲା ଏସପି ଡକ୍ଟର ସିଂଙ୍କ ନିର୍ଦ୍ଦେଶ କ୍ରମେ କୋଣାର୍କ ଥାନା ଅଧିକାରୀ ଗତ ୫ ତାରିଖରେ କେଶ ନମ୍ବର ୨୫୩/୨୨ କ୍ରମେ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୨୯୪/୫୦୯ ଓ ୫୦୬ ବଳରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଥିଲେ । କିନ୍ତୁ ତିନି ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରି ନ ଥିଲେ। ଏନେଇ ସାମ୍ବାଦିକ ରିତା ଆଜି ଅତିରିକ୍ତ ରାଜ୍ୟ ପୋଲିସ ଡିଜି ଆଇନ ଓ ଶୃଙ୍ଖଳା, କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ନରସିଂହ ଚରଣ ଭୋଳ ଓ ଜିଲ୍ଲା ଏସପି ଡକ୍ଟର କନୱର ବିଶାଲ ସିଂହଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତୁରନ୍ତ ଅଭିଯୁକ୍ତ କୁ ଗିରଫ କରିବା ପାଇଁ ବରିଷ୍ଟ ଅଧିକାରୀମାନେ କୋଣାର୍କ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ କୋଣାର୍କ ଥାନା ପୋଲିସ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।


