କୋଭିଡ ସଖୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ଏନ୍ଏସି କଲ୍ୟାଣ ମଣ୍ଡପ ପରିସରରେ ସମନ୍ଵିତ ଶିଶୁ ବିକାଶ ଯୋଜନା ଓ ମିଶନ ଶକ୍ତି ଆନୁକୂଲ୍ୟରେ ସୋମବାର ଦିନ କୋଭିଡ ସଖୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ଯଶୋବନ୍ତୀ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ,ବିଡିଓ ହଳଧର ଶବର,ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ,ଆଇନଜୀବୀ ହରପ୍ରସାଦ ରଥ,ଗୋଷ୍ଠୀ ସାଧନକର୍ମି ଉପେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଜୀବନ ଜୀବିକାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନଲକ୪ ରେ ବିଭିନ୍ନ କଟକଣା କୋହଳ କରିଥିବାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରତ୍ୟେକେ ଅଧିକ ସାବଧାନତା ଅବଲମ୍ବନ କରିବା ଜରୁରୀ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । କୋଭିଡ ନିୟନ୍ତ୍ରଣ ଏବଂ ବିଶେଷ କରି ବରିଷ୍ଠ ନାଗରିକ, ଶିଶୁ, ପ୍ରସୂତୀ ମା’ ଓ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଦିଗରେ କୋଭିଡ ସଖୀମାନଙ୍କ ଭୂମିକା ଉପରେ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଅଙ୍ଗନୱାଡ଼ି ସୁପର ୱାଇଜର ମନୀଷା ରାଣୀ ପଟ୍ଟନାୟକ,ସାଧନା ମହିଳା ସଂଘ ସଭାନେତ୍ରୀ ପି.ବିଜୟଲକ୍ଷ୍ମୀ,ଅଙ୍ଗନବାଡି କର୍ମୀ ଗାୟତ୍ରୀ ପାତ୍ର,ଅର୍ଚ୍ଚନା ପାଢ଼ୀ ପ୍ରମୁଖ ଶିବିର ପରିଚାଳନା କରିଥିବା ବେଳେ ଏଥିରେ ୪୦ ଜଣ କୋଭିଡ ସଖୀଙ୍କୁ ତାଲିମ ମଧ୍ୟ ଦିଆଯାଇଥିଲା ।


