୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନଳକୂପ ମିସ୍ତ୍ରୀଙ୍କ ମୃତ୍ୟୁ
ହାଟଡ଼ିହି,(ବିକାଶ ବିଶ୍ୱାଳ): ହାଟଡିହି ପଞ୍ଚାୟତ ନାହାଳିଆ ଗ୍ରାମରେ ଜଣେ ଯୁବକ ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ଆନନ୍ଦପୁର ଥାନା ତରଭା ଗ୍ରାମର ନାରାୟଣ ଜେନାଙ୍କ ପୁଅ ବାପୁନୁ ଜେନା ବୋଲି ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ନାହାଳିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ନଳକୂପ ବସାଇବାକୁ ଆଜି ନାହାଳିଆ ଗ୍ରାମକୁ କାମ କରିବାକୁ ଯାଇଥିଲା । କାମ କରୁଥିବାବେଳେ ତଳେ ପଡିଥିବା ଏକ ପାଇପକୁ ଟେକୁଥିବା ବେଳେ ମୁଣ୍ଡ ଉପରେ ଝୁଲୁଥିବା ୧୧କେଭି ବିଦ୍ୟୁତ ତାର ସଂଷ୍ପର୍ଶରେ ଚାଲି ଆସିଥିଲା । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇ ଥିବାବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପରେ ନନ୍ଦିପଦା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବକୁ ବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ ଚଳାଇଛନ୍ତି । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ତାଙ୍କର ବିଧବାପତ୍ନୀ ଓ ଏକ ବର୍ଷକର ଶିଶୁପୁତ୍ର ଅଛି । ତାଙ୍କ ମୃତ୍ୟୁରେ ପରିବାରଟି ସମ୍ପୁର୍ଣ୍ଣ ବେସାହାରା ହୋଇ ପଡିଛି । ମୃତ ବାପୁନୁଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।


