କ୍ଷତ୍ରିୟବରପୁରରେ ବ୍ଳକ୍ ସ୍ତରୀୟ ଫୁଟବଲ୍ ମ୍ୟାଚ୍
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ତୃଣମୂଳସ୍ତରରେ ଯୁବ ଗୋଷ୍ଠୀ ତଥା ଛାତ୍ରଛାତ୍ରୀଙ୍କୁ ଫୁଟବଲ୍ ଖେଳ ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ଯ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର କ୍ଷତ୍ରିୟବରପୁର ଷ୍ଟାଡିୟମ୍ ରେ ବ୍ଲକ୍ ସ୍ତରୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି I ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କ ନେଇ ଉଭୟ ବାଳକ ଏବଂ ବାଳିକା ବିଭାଗରେ ଦୁଇଟି ମ୍ୟାଚ୍ ଖେଳାଯିବା ପରେ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା ୧୪ ଜଣ ଲେଖାଏଁ ବାଳକ ଏବଂ ବାଳିକାଙ୍କୁ ନେଇ ଗଠିତ ଦୁଇଟି ଟିମ୍ କୁ ଆସନ୍ତା ଜୋନ୍ ସ୍ତରୀୟ ଫୁଟବଲ୍ ମ୍ୟାଚ୍ ପାଇଁ ଚୟନ କରାଯାଇଥିଲା I ପ୍ରକାଶ ଥାଉକି ଆସନ୍ତା ୧୪ ତାରିଖରେ କ୍ଷତ୍ରିୟବରପୁର ଷ୍ଟାଡିୟମ୍ ଠାରେ ବେଲଗୁଣ୍ଠା, ବୁଗୁଡ଼ା ଏବଂ ଜଗନ୍ନାଥପ୍ରସାଦ ବ୍ଲକ୍ ର କ୍ରୀଡ଼ାବିତ୍ ମାନଙ୍କୁ ନେଇ ଜୋନ୍ ସ୍ତରୀୟ ମ୍ୟାଚ୍ ଅନୁଷ୍ଠିତ ହେବ I ଆଜିର ମ୍ୟାଚ୍ କୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବେ ଆର୍ଯ୍ୟକନ୍ୟା ଗୁରୁକୂଳର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ, ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁ,ଖଇରପୁଟି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର ପ୍ରମୁଖ ଯୋଗ ଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ I କ୍ଷତ୍ରିୟବରପୁର ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଶିକ୍ଷକ କର୍ମଚାରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଆସିଥିବା ପ୍ରଧାନ ଶିକ୍ଷକ, କ୍ରୀଡ଼ା ଶିକ୍ଷକ, ପୁରାତନ ଛାତ୍ର ଏବଂ କ୍ରୀଡ଼ାପ୍ରେମୀରେ ଆଜିର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଏହି ଅବସରରେ ଆଗାମୀ ଜୋନ୍ ସ୍ତରୀୟ ଟୁର୍ଣ୍ଣାମେଣ୍ଟ୍ କୁ ଅଧିକ ଆକର୍ଷଣୀୟ କରିବା ନିମିତ୍ତ ସହଯୋଗ କରିବା ପାଇଁ ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଦେଇଥିବା ପ୍ରସ୍ତାବକୁ ଉପସ୍ଥିତ ପ୍ରଧାନ ଶିକ୍ଷକ,ପ୍ରଧାନ ଶିକ୍ଷୟିତ୍ରୀ ମାନେ ସମର୍ଥନ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ବ୍ଳକ୍ କ୍ରୀଡ଼ା ସମ୍ପାଦକ ଆଶୁତୋଷ ସ୍ୱାଇଁ ସଂଯୋଜନା କରିଥିଲେ I


