ଖରସ୍ରୋତା ନଦୀରେ ପ୍ରୋଜେକ୍ଟ ବାତିଲ ଓ ଅନ୍ୟାୟ ଗିରଫ ଦାରୀ ବନ୍ଦ ଦାବିରେ ୧୭ରେ ଗଣ ବିକ୍ଷୋଭ-ମିଳିତ ବିରୋଧୀ ଦଳ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ରାଜକନିକା ସ୍ଥିତ ଖରସ୍ରୋତା ନଦୀର ଭାରିଗଦା ଠାରେ ବିବାଦୀୟ ଜଳ ଯୋଗାଣ ପ୍ରକଳ୍ପକୁ ବାତିଲ କରିବା ଦାବିରେ ଗତ ୨ ବର୍ଷ ଧରି ଚାଲିଥିବା ଗଣ ଆନ୍ଦୋଳନକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯେଭଳି ନାଟକୀୟ ଢଙ୍ଗରେ ୩ଟି ପଂଚାୟତରେ ୧୪୪ ଧାରା ଜାରି କରିବା ସହିତ ବିବାଦୀୟ ସ୍ଥଳରେ ୨୨ ପ୍ଲାଟୁନ ଫୋର୍ସ ଛାଉଣୀ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କାରୀ ମାନଙ୍କୁ ବ୍ୟାପକ ଗିରଫ ଦାରୀ କରି ଗଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଯେଭଳି ହୀନ ପ୍ରୟାସ କରିଛନ୍ତି ତାହାକୁ ଜିଲ୍ଲା ସ୍ତରୀୟ ମିଳିତ ବିରୋଧୀ ଦଳ ବୈଠକରେ ତୀବ୍ର ନିନ୍ଦା କରାଯାଇଛି । ତା ସହିତ ତୁରନ୍ତ ପୋଲିସ ଅତ୍ୟାଚାର ଓ ଗିରପଂଦାରୀ ବନ୍ଦ କରିବା ସହିତ ଗିରଫ ହୋଇଥିବା ଆନ୍ଦୋଳନକାରୀଙ୍କ ବିରୋଧରେ ସରକାର ମାମଲା ପ୍ରତ୍ୟାହର କରନ୍ତୁ ଓ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ ରଖି ସ୍ଥାନୀୟ ଜନ ସାଧାରଣଙ୍କ ସହିତ ଆଲୋଚନା କରି ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ମିଳିତ ବୈଠକରେ ସରକାରଙ୍କୁ ଆହ୍ୱାନ ଦିଆ ଯାଇଛି । ରାଜକନିକା ଓ ଆଳି ଅଂଚଳରେ ପୋଲିସ ଅତ୍ୟାଚାର ରେ ସାଧାରଣ ଲୋକେ ଘରୁ ବାହାରି ପାରୁ ନାହାଁନ୍ତି । ରାତି ଅଧରେ ଗିରଫ କରିବା ସହିତ ଘର ତାଡିବା ଘଟଣାକୁ ବୈଠକରେ ଘୋର ନିନ୍ଦା କରାଯାଇଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଏହି ହୀନ ଗିରଫଦାରୀ ବିରୋଧରେ ଓ ପ୍ରକଳ୍ପ କାମକୁ ବନ୍ଦ ରଖି ଲୋକଙ୍କ ସହିତ ଆଲୋଚନା କରିବା ଦାବିରେ ଆସନ୍ତା ମଙ୍ଗଳବାର ୧୭ ତାରିଖ ଦିନ ମିଳିତ ବିରୋଧୀ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣ ବିକ୍ଷାଭେ କରିବାକୁ ନିଷ୍ପତି ନିଆ ଯାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସିପିଆ(ଏମ)ର ଜିଲ୍ଲା ସଂପାଦକ ଗୟାଧର ଧଳ, ଜିଲ୍ଲା ନେତା ଜଗତଜୀବନ ଦାସ, ସିପିଆଇ ର ଜିଲ୍ଲା ନେତା ବାବାଜୀ ଧଳ, ଆଦିକନ୍ଦ ରାଉଳ, ଭାରତୀୟ ଜାତୀୟ କଂଗ୍ରେସର ଜିଲ୍ଲା ସାଧାରଣ ସଂପାଦକ ସମ୍ବିତ ଶ୍ରୀଚନ୍ଦନ, କଂଗ୍ରେସର ଦଳିତ ନେତା ସର୍ବେଶ୍ୱର ସେଠୀ ଓ ସିପିଆଇ(ଏମ୍ଏଲ୍) ର ପ୍ରକାଶ ଚନ୍ଦ୍ର ମଲିକ ପ୍ରମୁଖ ଉପସ୍ଥିତଥିଲେ । ଏହି ଗଣ ବିକ୍ଷୋଭକୁ ଜିଲ୍ଲାବାସୀ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ ବୈଠକରେ ନିବେଦନ କରା ଯାଇଅଛି ।


