ଗଙ୍ଗାଧରଙ୍କୁ ମିଳିଲା ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ନିଜ ପେନସନ ଟଙ୍କାରେ ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ କରି ସମଗ୍ର ଭାରତବର୍ଷରେ ପ୍ରସଂଶା ସାଉଁଟି ଥିବା କାନପୁର ଗ୍ରାମର ଗଙ୍ଗାଧର ରାଉତଙ୍କୁ ଜିନ୍ଦଲ କମ୍ପାନୀ ପକ୍ଷରୁ ‘ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନ’ରେ ସମ୍ମାନୀତ କରାଯାଇଛି । ନୁଆଦିଲ୍ଲୀର ଶହିଦ ଜିତସିଂ ମାର୍ଗରେ ଥିବା ଜିନ୍ଦଲ ଥିଏଟର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଅବସରପ୍ରାପ୍ତ ମେଜର ଜେନେରାଲ ଏ.କେ ସିଂ, ମନ୍ତ୍ରୀ ରବି ପ୍ରସାଦ ସିଂ, ନବୀନ ଜିନ୍ଦଲ, ରାଜ୍ୟ ସଭା ସାଂସଦ ରଘୁନାଥ ମହାପାତ୍ର, ଶାଲୁ ଜିନ୍ଦଲ ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କୁ କୃଷି ଓ ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ତାଙ୍କର ଉଲେଖନୀୟ ସେବା ମନୋଭାବ ପାଇଁ ଏହି ସମ୍ମାନ ସହ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏଥିରେ ଓଡିଶାରୁ ସୁମୋନା କାର୍ଜି ମିଶ୍ରଙ୍କୁ ମଧ୍ୟ ଇନୋଭେସନ ଏବଂ ଟେକ୍ନେଲୋଜି କ୍ଷେତ୍ରରେ ଉଲେଖନୀୟ ସଫଳତା ପାଇଁ ସମ୍ମାନୀତ କରାଯାଇଛି । ଗଙ୍ଗାଧରଙ୍କୁ ଏହି ସମ୍ମାନ ମିଳିବାପରେ ସମଗ୍ର ହାଟଡିହି ବ୍ଲକରେ ଖୁସିର ଲହରୀ ଖେଳିଯାଇଛି । ଅଞ୍ଚଳର ବହୁ ମାନ୍ୟଗର୍ୟ ବ୍ୟକ୍ତି ତାଙ୍କୁ ଟେଲିଫୋନ ମାଧ୍ୟମରେ ଶୁଭେଚ୍ଛା ଜଣାଇ ତୁମେ ହିଁ ହାଟଡିହିର ଗୌରବ ବୋଲି ଅଭିନନ୍ଦନ ଜଣାଇଛନ୍ତି । ପୁରସ୍କାର ବାବଦ ମିଳିଥିବା ଏକଲକ୍ଷ ଟଙ୍କାକୁ ସେ ଅସମ୍ପୁର୍ଣ୍ଣ ପୋଲ କାମରେ ବିନିଯୋଗ କରିବେ ବୋଲି କହିଛନ୍ତି ।


