ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଅନ୍ତର୍ଗତ ବଛାଳୋ ଗାଁର ଜୈନକ ଯୁବକ ନିଜ ପାରିବାରିକ କହଳକୁ ନେଇ ଶୁକ୍ରବାର ଗଛରେ ରଶି ଲଗାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ରୋହିଆ ଗାଁର ଦୁଇ ଜଣ ଯୁବକ କପିଳେନ୍ଦ୍ର ରାଉତ ଓ ଲିପୁନା ଜେନା ଉଦ୍ଧାର କରିଛନ୍ତି । ସୂଚନାନୁସାରେ ସଂପୃକ୍ତ ଯୁବକଙ୍କ ପରିବାରରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଫଳରେ ଯୁବକ ଜଣକ ରାଗରେ ପାଂଚପାସ୍ଥିତ ନଦୀ ବନ୍ଧ ପାଖରେ ଥିବା ଏକ ଗଛରେ ଚଢି ଅତ୍ମହତ୍ୟା କରିବାକୁ ଚେଷ୍ଠା କରୁଥିଲେ । ଗଛ ନିକଟରେ ଥିବା କିଛି ଲୋକ ଏହାକୁ ଦେଖି ପାଟି କରିବା ସମୟରେ ରୋହଆ ଗାଁର ଦୁଇ ଯୁବକ କପିଳେନ୍ଦ୍ର ଓ ଲିପୁନା ଗଛ ଉପରକୁ ଚଢି ଯାଇ ତାକୁ ଉଦ୍ଧାର କରିଥିଲେ । ସେହି ସମୟରେ ରୋହିଆର ସମାଜସେବୀ ପଦ୍ମଚରଣ ରାଉତ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ଦୌଡି ସାହାର୍ଯ୍ୟରେ ସଂପୃକ୍ତ ଯୁବକଙ୍କୁ ତଳକୁ ଆଣି ପ୍ରାଥମିକ ଚିକିତ୍ସା ପାଇଁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ଜଣାଯାଇଛି । କପିଳେନ୍ଦ୍ର ଓ ଲିପୁନାଙ୍କ ଉପସ୍ଥିତ ବୃଦ୍ଧି ପାଇଁ ଜଣକର ଜୀବନ ବଂଚି ଯାଇଥିବାରୁ ସ୍ଥାନୀୟ ଅଂଚଳରେ ଏହି ଦୁଇ ଜଣଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି ।


