ବିଶ୍ୱ ସନାତନ ଯୁବ ସେବାସଂଘର ୨୮ତମ ବାର୍ଷିକ ମହୋତ୍ସବ ଉଦ୍ଘାଟିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ତିହୁଡାସ୍ଥିତ ମା’ଜାଗୁଳାଇ ପୀଠ ପରିସରରେ ନାଉଗାଁ ବିଶ୍ୱ ସନାତନ ଯୁବ ସେବାସଂଘ ପକ୍ଷରୁ ୨୮ତମ ବାର୍ଷିକ ମହୋତ୍ସବ ଗୁରୁବାର ଉଦ୍ଘାଟିତ ହୋଇଯାଇଛିି । ତିନି ଦିନ ବ୍ୟାପୀ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀସ୍ଥିତ ଛତିଆ ନିଯୋଗ ନାୟକର ଜନାର୍ଦ୍ଦନ ପାଟ୍ଟଯୋଗୀ ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବିଶ୍ୱ ସନାତନ ଯୁବ ସେବା ସଂଘର ସଭାପତି ବାବା ସତ୍ୟାନନ୍ଦ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଭୂବନେଶ୍ୱରସ୍ଥିତ ଓଡିଶା ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡଃ.କୈଳାସ ଚନ୍ଦ୍ର ଟିକାୟତରାୟ, ଭୁବନେଶ୍ୱରସ୍ଥିତ ଗୀତା ଆଶ୍ରମର ଆଚାର୍ଯ୍ୟ ସ୍ୱାମୀ ଜଗଦ୍ଦୀଶାନନ୍ଦ ସରସ୍ୱତୀ, ଯୋଗାଚାର୍ଯ୍ୟ ବାବାଜୀ ଅମୃତାନନ୍ଦ ଦାସ ମହାରାଜ, ପୁରୀସ୍ଥିତ ଭାଗବତ ସେବାଶ୍ରମର ଅଧ୍ୟକ୍ଷ ବାବା ବ୍ରଜବନ୍ଧୁ ଦାସ ପ୍ରମୁଖ ଯୋଗ ଦେଇ ଯୋଗ ଦେଇ ନିତ୍ୟ ଭାଗବତ ପଠନ ଓ ଶ୍ରବଣ ଦ୍ୱାରା ବ୍ୟକ୍ତିତ୍ୱର ବିକାଶ ଘଟିଥାଏ ବୋଲି ଉଦ୍ବୋଧନ ଦେଇଥିଲେ । ଏହି ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବ୍ୟକ୍ତିତ୍ୱ ବିକାଶ ଶିବିରରେ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଯୋଗ ପ୍ରାଣାୟାମ, ଗୀତା ଅଧ୍ୟୟନ, ମେଧା ଅନ୍ୱେଷଣ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ସୁକାନ୍ତ କୁମାର ଲେଙ୍କା, ସଂପାଦକ ନିରଂଜନ ମହାନ୍ତିଙ୍କ ସମେତ ଅନ୍ୟ ସଦସ୍ୟମାନେ ପରିଚାଳନା କରୁଛନ୍ତି ।


