ଗଛ ଉପରେ ଭାଲୁ;ଲୋକେ ଭୟବିତ୍ତ
ଜୟପୁର,(ଓ୍ବାଇଏନ୍ଏସ୍): ଗଛ ଉପରେ ଭାଲୁ ଆଉ ତଳେ ମଣିଷ । ଜନ ବସତି ଭିତରକୁ ପସିବା ପରେ ତେନ୍ତୁଳି ଗଛ ଉପରେ ଚଢ଼ି ଭାଲୁ ତେନ୍ତୁଳି ଖାଉଥିବା ବେଳେ ଭୟରେ କିନ୍ତୁ ଲୋକଙ୍କ ଘରେ ତାଟି କବାଟ ପଡିବା ପରେ ସମସ୍ତେ ଭୋକିଲା । ଏମିତି କିଛି ଆଜି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ଆଉଁଳି ଠାରେ । ଗାଁ ଭିତରକୁ ଭାଲୁ ପସିବା ପରେ ଦୀର୍ଘ ସମୟ ଧରି ତେନ୍ତୁଳି ଗଛ ଉପରେ ଭାଲୁ ବସି ରହିଛି । ଭାଲୁକୁ ଉଦ୍ଧାର କରିବା ପାଇଁ ବନ ବିଭାଗ ଓ ଓ୍ବାଇଲ୍ଡ ଲାଇଫ ଟିମ ପହଞ୍ଚି ଭାଲୁଟିକୁ ଉଦ୍ଧାର କରିବା ପାଇଁ ନାକେଦମ ହୋଇଛନ୍ତି।ଜଙ୍ଗଲ ଛାଡି ଜନ ବସତି ମୁହାଁ ଜଙ୍ଗଲି ଜନ୍ତୁ ଭାଲୁ। ତେନ୍ତୁଳି ଖାଇବା ଲୋଭରେ ଗାଁ ଭିତରେ ପସିଲା ଭାଲୁ । ଭାଲୁଟି ଗାଁ ଭିତରେ ସିନା ପସିଗଲା । ହେଲେ ଲୋକଙ୍କ ଭୟରେ ଆଉ ଗାଁ ବାହାରକୁ ବାହାରି ପାରିଲାନି । ଶେଷରେ ପ୍ରାଣ ବିକଳରେ ୩୦ ଫୁଟ ତେନ୍ତୁଳି ଗଛ ଉପରେ ଚଢ଼ି ପଡିଲା।ଏମିତି କିଛି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ଆଉଁଳି ଗାଁରେ । ଖବର ପାଇ ବନ ବିଭାଗ ଓ ଓ୍ବାଇଲ୍ଡ ଲାଇଫ ରେସ୍କ୍ୟୁ ଟିମ ସହ ପୋଲିସ ବି ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଭାଲୁଟିକୁ ଉଦ୍ଧାର କରିବା ପାଇଁ ନାକେଦମ ସମସ୍ତେ ହୋଇଥିଲେ ବି ଭାଲୁଟିକୁ ଉଦ୍ଧାର କରି ପାରିନାହାଁନ୍ତି । ଭୟରେ ଗାଁରେ ତାଟି କବାଟ ପଡିବା ସହ ଲୋକ ଦୀର୍ଘ ସମୟ ହେଲା ଭୋକ ଉପବାସରେ ଅଛନ୍ତି । ଭାଲୁଥିବା ଥିବା ଗଛର ୫୦ ମିଟର ପରିଧିକୁ ଦଉଡିରେ ବ୍ୟାରିକେଟିଂ କରାଯାଇଛି । ଭାଲୁଟି ରାତିରେ ସ୍ବତଃ ତଳକୁ ଓହ୍ଲାଇବ । ଆଉ ଯଦି ନ ଓହ୍ଲାଏ ତେବେ ଟ୍ରାଙ୍କୁଲାଇଜର ବ୍ୟବହାର କରାଯିବ ବୋଲି ବନ ବିଭାଗର ଅଧିକାରୀ ମାନେ କହିଛନ୍ତି । ଏଥିପାଇଁ ତେନ୍ତୁଳି ଗଛ ମୂଳେ ଜାଲ ବି ବନ୍ଧା ଯାଈଛି । ଭାଲୁଟି ଗତ ରାତିରେ ଗାଁ ଭିତରକୁ ପସି ଯାଈଥିଲା । ଆଜି ସକାଳୁ ସକାଳୁ କିଛି ମହିଳା ଦେଖିବା ପରେ ଭୟରେ ପାଟି କରିଥିଲେ । ଫଳରେ ଭାଲୁଟି ଭୟରେ ଗଛ ଉପରେ ଚଢ଼ି ଯାଈଥିଲା । ଖବର ପାଇ ବୋରିଗୁମ୍ମାରୁ ପ୍ରଥମେ ବନ ଅଧିକାରୀ ଓ ପରେ ପୋଲିସ ଟିମ ବି ବୋରିଗୁମ୍ମା ଆଉଁଳି ରେ ପହଞ୍ଚିଥିଲା । ପରେ କୋଟପାଡ ଓ କୁନ୍ଦ୍ରାରୁ ବନ ଅଧିକାରୀଙ୍କ ଟିମ ବି ଗାଁରେ ପହଞ୍ଚି ଥିଲା । ମାଇକ ଯୋଗେ ଗାଁ ଲୋକଙ୍କୁ ସଚେତନ କରାଯିବା ସହ ଆଖ ପାଖ ଘର ସବୁକୁ ଖାଲି କରାଯାଇଛି ।ଜଙ୍ଗଲ ଅବକ୍ଷୟ ହେଉଥିବା ବେଳେ ମକା,ଆଖୁ,ତେନ୍ତୁଳି ଓ ମହୁଲ ଖାଇବାକୁ ଜନ ବସତି ମୁହାଁ ହେଉଛନ୍ତି । ତେବେ ଏହି ଘଟଣା ପରେ ପୋଲିସ ଗାଁରେ ପଇଁତରା ମାରିବା ସହ ଆଲର୍ଟ ଅଛି । ସେପଟେ ଲୋକ ଭୟଭୀତ ଥିଲେ ବି ଭାଲୁକୁ ଦେଖିବାକୁ ଉତ୍ସୁକତା ଲାଗି ରହିଛି । କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ସମୟରେ ଭାଲୁ ଖାଦ୍ୟ ଅନୁସନ୍ଧାନ ପାଇଁ ଜନବସତି ମୁହାଁ ହେବା ଦେଖିବାକୁ ମିଳୁଛି । ଆଉ ଅନେକ ସମୟରେ ଏମାନଙ୍କ ମଧ୍ୟରେ ଲଢେ଼ଇ ହୋଇ କେତେବେଳେ ଭାଲୁ ତ ଆଉ କେତେବେଳେ ମଣିଷର ଜୀବନ ଯାଉଛି ।


