ଗଜପତିକୁ ସ୍ୱାବ୍ ରିପୋର୍ଟ ଆସିବାରେ ବିଳମ୍ବ କାହିଁକି? ପଠାଯାଇଛି ୭୫ ଆସିଛି ମାତ୍ର ୨୦

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରୁ ଗତକାଲି ରାତ୍ର ସୁଦ୍ଧା ୭୫ଜଣଙ୍କ ସ୍ୱାବ୍ ସଂଗ୍ରହ କରାଯାଇଛି । ଆଜି ସୁଦ୍ଧା ୭୫ ଗୋଟି ସ୍ୱାବ୍ ନମୁନା ପରୀକ୍ଷା କରି ରିପୋର୍ଟ ଦେବା ପାଇଁ ଭୁବନେଶ୍ୱର ପଠାଯାଇଛି । ହେଲେ ଆଜି ଖବର ଲେଖିବା ସମୟ ସୁଦ୍ଧା ମାତ୍ର ୨୦ ଜଣଙ୍କ ସ୍ୱାବ୍ ରିପୋର୍ଟ ଗଜପତି ଜିଲ୍ଲାକୁ ଆସିଛି । ଏଥିରେ ଜଣେ ହେଲେ ବି କରୋନା ସଂକ୍ରମିତ ନ ଥିବା ସୁଚନା ମିଳିଛି । ଏହି ୨୦ଜଣଙ୍କ ସ୍ୱାବ୍ ରିପୋର୍ଟ ଗତ ୧୦/୧୧ତାରିଖ ସୁଦ୍ଧା ଭିନ୍ନ ଭିନ୍ନ ଦିନରେ ଗଜପତି ଜିଲ୍ଲାକୁ ଆସିଥିବା କୁହାଯାଇଛି । ଅତ୍ୟନ୍ତ ଜରୁରୀ ଥିବା ଏହି ସ୍ୱାବ୍ ରିପୋର୍ଟ ଭୁବନେଶ୍ୱରରୁ ଗଜପତିକୁ ଅସିବା ପାଇଁ କାହିଁକି ଏତେ ବିଳମ୍ବ ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଗତକାଲି ସୁଦ୍ଧା ୬୨ଜଣଙ୍କ ସ୍ୱାବ୍ ରିପୋର୍ଟ ପାଇଁ ପଠାଯାଇଥିଲା । ପୁଣି ଗତକାଲି ୧୩ଜଣଙ୍କ ସଂଗ୍ରହୀତ ସ୍ୱାବ୍ ନମୁନା ଆଜି ପଠାଯାଇଛି । ଗଜପତି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପାରଳାଖେମୁଣ୍ଡିରେ ଏହି ସ୍ୱାବ୍ ପରୀକ୍ଷା ହୋଇପାରୁ ନ ଥିବା ଯୋଗୁଁ ଭୁବନେଶ୍ୱର ପଠାଯାଉଥିବା ସୁଚନା ମିଳିଛି । ଗଜପତି ଜିଲ୍ଲାରେ ଲକ୍‌ଡାଉନ୍ ଆଜି ୨୨ଦିନରେ ପହଞ୍ଚିଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏବଂ ଜିଲ୍ଲା ଏସପି ସାରା ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଲକ୍‌ଡାଉନ୍‌କୁ କଡାକଡି ଭାବେ ପାଳନ କରାଯାଉଛି । ଗତକାଲି ସୁଦ୍ଧା ଗଜପତି ଜିଲ୍ଲାକୁ ମୋଟ ୫୪ଜଣ ବିଦେଶରୁ ଏବଂ ରାଜ୍ୟ ବାହାରୁ ୪୭୫୮ଜଣ ଫେରିଥିବା ସୁଚନା ମିଳିଚି । ଏମାନଙ୍କ ଗତି ବିଧି ପ୍ରତି ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟବିଭାଗ ୨୪ଘଣ୍ଟିଆ ତୀକ୍ଷଣ ଦୃଷ୍ଟି ରଖିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ ଏମାନଙ୍କ ପ୍ରତି ସଜାଗ ରହିବା ପାଇଁ ବହୁ ଟିମ୍ କାର୍ଯ୍ୟ କରୁଛି । ଏହି ଜିଲ୍ଲାର କାଶୀନଗର ବ୍ଲକରେ ରଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ଗଠିତ ଟିମ୍‌ରେ ୨ଜଣ ଡାକ୍ତର ଜି.ବେଦବିକାଶ ଓ ନିବେଦିତା ଦୋରା,ଫାର୍ମାସିଷ୍ଟ ନିରୁପମା ଶୋଇ,ସ୍ୱାସ୍ଥ୍ୟକର୍ମୀ ପଦ୍ମିନୀ ପାଢି ପ୍ରମୁଖ ପ୍ରତ୍ୟେକ ଦିନ ବିଭିନ୍ନ ଗ୍ରାମକୁ ଗ୍ରସ୍ତ କରି ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତିମାନଙ୍କ ବାସଗୃହ ସମ୍ମୁଖରେ ଏକ ପୋଷ୍ଟର ଜାରି କରି ସେମାନେ ନିଜ ଘରେ କ୍ୱାରେଣ୍ଟାଇନ୍‌ରେ ସରକାରୀ ନିୟମ ଭାବେ ରହୁଛନ୍ତି ନା ନାହିଁ ସେ ନେଇ ପରିଦର୍ଶନ କରି ଏହାର ରିପୋର୍ଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଦେଉଛନ୍ତି । ଗତକାଲି ଓ ଆଜି ଏହି ଟିମ୍ କାଶୀନଗର ବ୍ଲକର ରାଣୀପେଣ୍ଠ,ହାଡୁଭାଙ୍ଗି,ସିଦ୍ଧାମଡଙ୍ଗ,ସିଙ୍ଗିପୁର,ପୋଲୁରୁ ଆଦି ବିଭିନ୍ନ ଗ୍ରାମ ଗ୍ରସ୍ତ କରିଥିବା ଖବର ମିଳିଛି । ଏହିପରି ଭାବରେ ବହୁ ଟିମ୍ ଗଜପତି ଜିଲ୍ଲାରେ କାର୍ଯ୍ୟ କରୁଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ