ଗଜପତିରେ ପୁଣି ୮ କୋଟିର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କଲା ପ୍ରଶାସନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ପୁଣି ଗତକାଲି ବେଆଇନ ଭାବେ ଚାଷ କରାଯାଇଥିବା ୮କୋଟିି ଟଙ୍କାର ଚୋରା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାପାଳ ଅନୁପମ ସାହା,ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ,ଅବକାରୀ,ବନ ଓ ରାଜସ୍ୱ ବିଭାଗର ମିଳିତ ଚଢାଉରେ ଗତକାଲି ପୁଣି ଏହି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ୮କୋଟି ଟଙ୍କାର ଗଞ୍ଜେଇ ଗଛକୁ ପୋଡା ଯାଇଛି । ଏକ ସୂଚନାକୁ ଭିତ୍ତି କରି ମୋହନା ଥାନାଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ପୋଲିସ, ଅବକାରୀ,ବନ ଓ ରାଜସ୍ୱ ବିଭାଗ କର୍ମଚାରୀମାନେ ଚଢାଉ କରି ମୋହନା ବ୍ଲକର ତରାମାଳ ମୌଜା ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୪୦.୦୩୦ ଏକର ଜମିରେ ବେଆଇନ ଭାବେ ଲଗାଯାଇଥିବା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇଛି । ଯାହାର ଆନୁମାନିକ ବଜାର ମୁଲ୍ୟ ୮ କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣାପଡିଛି । ଏ ନେଇ ମୋହନା ଥାନାରେ କେସ୍ ନଂ-୩୩/୨୦୨୧ ଏନଡିପିଏସ ଆକ୍ଟର ଧାରା ୨୦(କ)(I) ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଏହି ଚଢାଉରେ ମୋହନା ଅତିରିକ୍ତ ତହସିଲଦାର ଆଶିସ ପ୍ରଧାନ ମାଜିଷ୍ଟ୍ରେଟ ଭାବେ ଯୋଗ ଦେଇଥିଲେ ।


