ଗଜପତିରେ ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ୧ଶହରୁ ଉର୍ଦ୍ଧ ବିଜେପି କର୍ମୀ ବିଜେଡିରେ ଯୋଗ ଦେଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଖରଷଣ୍ଢା ଗ୍ରାମରେ ଜିଲ୍ଲା ବିଜେଡିର କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଲକ୍ଷ୍ୟ କରି ବିଭିନ୍ନ ଆଲୋଚନା ହୋଇଥିଲା । ଏତଦ୍ ବ୍ୟତୀତ ବିଜେଡି ଦଳକୁ ମଜବୁତ କରିବା ପାଇଁ ବିଭିନ୍ନ ଆଲୋଚନା ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ଜନସାଧାରଣରେ ପହଞ୍ଚାଇବା ନିମନ୍ତେ ଆଲୋଚନା କରାଯାଇଥିଲା । ଏହି କର୍ମୀ ସମ୍ମିଳନୀ ଅବସରରେ ମିଶ୍ରଣ ପର୍ବ ମଧ୍ୟ ହୋଇଥିଲା । ଏହି ମିଶ୍ରଣ ପର୍ବରେ ଖରଷଣ୍ଢା ଗ୍ରାମାଞ୍ଚଳର ପ୍ରାୟ ୧୦୦ରୁ ଉର୍ଦ୍ଧ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ନୂତନ କରି ବିଜେଡିରେ ଯୋଗ ଦେଇଥିବା କର୍ମୀ ମାନଙ୍କୁ ଜିଲ୍ଲା ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ବିଜେଡିରେ ମିଶିବା ପରେ ଏହି କର୍ମୀମାନେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛୁ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍.ଲିଙ୍ଗରାଜ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାସ, ବ୍ରହ୍ମପୁର ସାଂସଦ ପ୍ରତିନିଧି ବାଲା ଧନଞ୍ଜୟ, ଗୋଷାଣୀ ବ୍ଲକ ସଭାପତି ସିଏଚ୍. ଇଶ୍ୱର ରାଓ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀ କାନ୍ତ ପରିଚ୍ଛା, ଛାତ୍ର ବିଜେଡି ସଭାପତି ବିଶ୍ୱଜିତ୍ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ବହୁ ସରପଞ୍ଚ, ସମିତି ସଭ୍ୟ ଓ ନେତୃବୃନ୍ଦମାନେ ଯୋଗଦେଇଥିଲେ ।


