ଗାଁରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦେଶୀ ବନ୍ଧୁକ ଓ ଗୁଳି ଜବତ

ଜୟପୁର,(ଓ୍ବାଇଏନ୍ଏସ୍):କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରେ ମାଛକୁଣ୍ଡସ୍ଥିତ ବିଏସଏଫ ଓ ପୁଲିସର ମିଳିତ ଯାଂଚ ସମୟରେ ଏକ ଗଞ୍ଜେଇ ଗାଡି ଜବତ କରିବା ସହ ଗୋଟିଏ ଦେଶୀ ବନ୍ଧୁକ ଓ ଗୁଳି ଜବତ କରିଥିବା ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ମାଛକୁଣ୍ଡ ଥାନା ପରିସର ମଧ୍ୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। କୋରାପୁଟ ଜିଲା ଲମତାପୁଟ ବ୍ଲକରେ ଦିନିକୁ ଦିନ ଗଞ୍ଜେଇ ବେପାର ବଢିବାରେ ଲାଗିଛି । ଗୋଟିଏ ପଟେ ପୁଲିସ ଘନଘନ ଗଞ୍ଜେଇ ଜବତ କରୁଥିବା ବେଳେ ଗଞ୍ଜେଇ ମାଫିଆମାନେ ଏହାକୁ ଖାତିରି ନ କରି ଅଧିକାରୁ ଅଧିକ ଗଞ୍ଜେଇ ଚୋରାଚାଳାଣ କରିବାରେ ଲାଗିପଡିଛନ୍ତି।ବୁଧବାର ଦିନ ମାଛକୁଣ୍ଡସ୍ଥିତ ୧୫ ବାଟାନିଆନ ବିଏସଏଫ, ମାଛକୁଣ୍ଡ ଓ କୋରାପୁଟ ପୁଲିସ ପକ୍ଷରୁ କୋରାପୁଟ-ମାଲକାନଗିରି ସୀମାନ୍ତବର୍ତ୍ତୀ ହନୁମାଲ ଗାଁ ନିକଟରେ ମିଳିତ ଭାବରେ ଗାଡି ମୋଟର ଯାଂଚ କରିଥିଲେ। ସକାଳ ପ୍ରାୟ ୫ ଘଂଟା ସମୟରେ ମାଲକାନଗିରି ଜିଲା ଅଂଚଳରୁ ଏକ ବୋଲେର ପିକ୍‌ଅପ୍‌ ଭ୍ୟାନରେ ଗଞ୍ଜେଇ ଭର୍ତି କରି ଦୃତ ଗତିରେ ଗାଡି ଆସୁଥିଲା। ଗାଡିକୁ ଦେଖି ପୁଲିସ ଅଟକାଇବାରୁ ଘଟଣାସ୍ଥଳରେ ଗାଡିକୁ ଛାଡି ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ। ପରେ ବିଏସଏଫ ଓ ପୁଲିସ ମିଳିତ ଭାବରେ ଗାଡିକୁ ଯାଂଚ କରିଥିଲେ ଏବଂ ସେଥିରୁ ଗୋଟିଏ ଦେଶୀ ବନ୍ଧୁକ ଓ ୨ଟି ଜିବନ୍ତ ଗୁଳିକୁ ମଧ୍ୟ ପୁଲିସ ଜବତ କରିଥିଲେ। ପରେ ଗଞ୍ଜେଇ ଭର୍ତି ଗାଡିକୁ ମାଛକୁଣ୍ଡ ଥାନାରେ ଆଣି ତାହାର ଅଧିକ ତହନ୍ତ କରିଥିଲେ ଏବଂ ଗାଡିରେ ପ୍ରାୟ ୮ଶହ କେଜି ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ। ଯାହାର ହାରାହାରି ମୂଲ୍ୟ ଅନ୍ତରାଜ୍ୟରେ ୮୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏହା ସହ ଗୋଟିଏ ଦେଶୀ ବନ୍ଧୁକ ଓ ଗୁଳିକୁ ମଧ୍ୟ ପୁଲିସ ଜବତ କରିବାରେ ସଫଳ ହୋଇଛନ୍ତି। ଏହି ଘଟଣା ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ମାଛକୁଣ୍ଡ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ମାଲକାନଗିର ଜିଲା ଅଂଚଳରୁ ଗଞ୍ଜେଇ ଭର୍ତି କରି ଗଞ୍ଜେଇ ମାଫିଆମାନେ ଅନକାଡେଲି, ଲମତାପୁଟ ରାସ୍ତା ଦେଇ ଜୟପୁର ଠାରୁ ଛତିଶଗଡ ଅଂଚଳକୁ ଚୋରାଚାଲାଣ କରିବାର ଯୋଜନା ରହିଥିଥିଲା । ଆଗକୁ ଜିଲାପ୍ରଶାସନ, ଅବକାରୀ ବିଭାଗ, ବନବିଭାଗ ଓ ପୁଲିସ ବିଭାଗ ଦ୍ୱାରା ବିଭିନ୍ନ ଅଂଚଳରେ ଲଗାଯାଇଥିବା ସମସ୍ତ ଗଞ୍ଜେଇ ଗଛ ଗୁଡିକ କଟା ଯିବାର ବ୍ୟବସ୍ଥା ଯୋଜନା ପ୍ରସ୍ତୁତି ଚାଲିଛି। ଏହା ସହ ଯେଉଁମାନେ ମଧ୍ୟ ଗଞ୍ଜେଇ ବ୍ୟବସାୟରେ ଲିପ୍ତ ରହୁଛନ୍ତି ସେମାନଙ୍କ ଆର୍ଥକସ୍ଥିତି ଉପରେ ନଜର ରଖାଯିବ ଏବଂ ବ୍ୟାଙ୍କ କାରବାରକୁ ମଧ୍ୟ ବନ୍ଦ କରାଯିବ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ସହ ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ସେ କହିଛନ୍ତି। ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ ଲାକ୍ରା, ଡମ୍ବରୁ ଧର ବାତ୍ରିଆ, ଦିଲିପ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ