ଗାତ ଖୋଳି ପ୍ରସ୍ତୁତ ହେଉଛି ମଦ, ଚଢ଼ାଉ ବେଳେ କେହି ନଥାନ୍ତି ଦାବିଦାର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ମହାମାରୀ କରୋନା ସଂକ୍ରମଣ ପ୍ରାରମ୍ଭ ତଥା ମାର୍ଚ୍ଚ ମାସରୁ ଅବକାରୀ ବିଭାଗର ନିଷ୍କ୍ରିୟତାର ସୁଯୋଗରେ କନ୍ଧମାଳ ଜିଲାର ପ୍ରତ୍ୟେକ ବ୍ଲକରେ ଚୋରା ଦେଶୀ ମଦ ପ୍ରସ୍ତୁତି ଠାରୁ ବେପାର ବେଧଡ଼କ ଚାଲିଛି। ଏସବୁ ଅଞ୍ଚଳରେ ବିଭିନ୍ନ ରସାୟନ ତଥା ବିଷାକ୍ତ ସାମଗ୍ରୀରେ ମଦ ପ୍ରସ୍ତୁତ ହେଉଛି। ବଣ ଜଙ୍ଗଲ ଓ ନଦୀ ପଠାଗୁଡ଼ିକ ସମେତ ମାଟିରେ ଗାତ ଖୋଳି ମଦ ପ୍ରସ୍ତୁତ ହେଉଛି; ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଯେତିକି ବିପଦଜନକ ତା’ଠାରୁ ଅଧିକ। ଅବକାରୀ ଓ ପୁଲିସ ବିଭାଗ ଚଢ଼ଉ ସମୟରେ ଜବତ ମଦ ଓ ପ୍ରସ୍ତୁତ ପାଇଁ ଉଦ୍ଦିଷ୍ଟ ସାମଗ୍ରୀର ଦାବିଦାର କେହି ନଥାନ୍ତି। ଚୋରାମଦ ଚାଲାଣ ପରେ ଗାଁଗୁଡ଼ିକରେ ଘରେଘରେ ବେଆଇନ ଭାବେ ବିକ୍ରି ହେଉଛି। ଅଳ୍ପ ବୟସରେ ଯୁବଗୋଷ୍ଠୀ ପ୍ରତ୍ୟେହ ସେବନ କରି ଅକାଳ ମୃତ୍ୟୁର ଶିକାର ହେଉଛନ୍ତି।ଏହି ଜିଲ୍ଲାରେ ଶତକଡା ୮0ରୁ ଊର୍ଦ୍ଧ୍ବ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକ ବସବାସ କରନ୍ତି। ସମସ୍ତେ ପ୍ରାୟ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ବେଳେ ଚାଷକାର୍ଯ୍ୟ ସାଙ୍ଗକୁ ଦିନମଜୁରିଆ ଓ ପାରମ୍ପାରିକ ବୃତ୍ତିଧାରୀ ଅନ୍ୟମାନଙ୍କ ସଂଖ୍ୟା ତୁଳନାରେ ଅଧିକ। ସେମାନଙ୍କ ମଧ୍ୟରେ ଅର୍ଦ୍ଧାଧିକ ପ୍ରତିଦିନ ମଦ ପାନ କରିଥାନ୍ତି। ପ୍ରଥମେ ପ୍ରଥମେ ଥକ୍କା ମେଣ୍ଟାଇବା ପାଇଁ ସନ୍ଧ୍ୟା ସମୟରେ କର୍ମଠ ପୁରୁଷ ମଦ ପିଉଥିବା ବେଳେ ବର୍ତ୍ତମାନ ତାହା ସମସ୍ତଙ୍କ ନିଶାରେ ପରିଣତ ହୋଇଛି। ସକାଳ ହେଲେ ମଦଭାଟି, ରାତି ବେଳକୁ ବି ମଦଭାଠି ଯିବା ସେମାନଙ୍କ ଦୈନନ୍ଦିନ କାର୍ଯ୍ୟକ୍ରମରେ ପରିଣତ ହୋଇଛି। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦଭାଟିରେ ଲୋକଙ୍କ ଭିଡ଼ ଜମୁଥିବା ପରିଲକ୍ଷିତ ହେଉଛି। କଷ୍ଟଲବ୍ଧ ଉପାର୍ଜନ ମଦ ପଛରେ ଉଡୁଥିବା ବେଳେ ଧାରକରଜ ଏପରିକି ଘରର ଜିନିଷପତ୍ର ବିକ୍ରିକରି ମଦ ପିଇବାକୁ କେହି ପଛାଉ ନାହାନ୍ତି। ମଦର ଚାହିଦାକୁ ଲକ୍ଷ୍ୟ କରି ବାଲିଗୁଡା ଟାଉନରେ 2ଟି ବିଦେଶୀ ଠିପିବନ୍ଦ ମଦଦୋକାନ ଚାଲିଅଛି। ତେବେ ତାଲାବନ୍ଦ ଓ ସଟଡ଼ାଉନ ଭଳି ସ୍ଥିତିରେ କଟକଣା ପାଇଁ ଦୋକାନ ବନ୍ଦ ଯୋଗୁ ଚୋରା ବେପାର ବେଧଡ଼କ ଚାଲିଛି। ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଚୋରା ଦେଶୀ ମଦ ପ୍ରସ୍ତୁତି ବେଧଡ଼କ ଚାଲିଛି। ମଦ ପ୍ରସ୍ତୁତି ପରେ ତାହା ପଡ଼ୋଶୀ ବ୍ଲକ ତଥା ଜିଲାକୁ ଚୋରା ଚାଲାଣ ମଧ୍ୟ ହେଉଛି। ଏହି ବିଷାକ୍ତ ଚୋରା ମହୁଲି ମଦ ପାନ କରି ପ୍ରତିବର୍ଷ ୩/୪ଜଣ ରୋଜଗାରକ୍ଷମ ବ୍ୟକ୍ତି ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି। ଚୋରା କାରବାର ରୋକିବା ତଥା ମଦ୍ୟପଙ୍କୁ ମଧ୍ୟ ଗିରଫ କରାଯିବା ନିୟମ ଥିଲେ ହେଁ ତାହା ବାସ୍ତବରେ କାର୍ଯ୍ୟକାରୀ ହେଉନାହିଁ। ଅବକାରୀ ବିଭାଗ ସମ୍ପୂର୍ଣ୍ଣ ନିଷ୍କ୍ରିୟତା କହିଲେ ଭୁଲ ହେବ ନାହିଁ l ବିଭାଗର ବିଗତ ମାସର ରେକର୍ଡ଼ ପ୍ରମାଣ କରୁଛି। ଏହି ସମୟ ସୀମା ମଧ୍ୟରେ ବ୍ଲକ ଅଞ୍ଚଳରେ ଯାହା କିଛି କେସ ହେଉଛି, ଅଭିଯୁକ୍ତ ମାନେ ଗିରଫ ହୋଇ ପୁଣି ଜାମିନରେ ଆସି ଏହି ଚୋରା ମହୁଲି ମଦ କାରବାରରେ ଲିପ୍ତ ରହୁଛନ୍ତି l ସେହିପରି କନ୍ଧମାଳ ଜିଲ୍ଲା ପୁଲିସର କରୋନା ପାଇଁ ଅତିରିକ୍ତ ଦାୟିତ୍ୱ ଦୃଷ୍ଟିରୁ ଆଭ୍ୟନ୍ତରୀଣ ଅଞ୍ଚଳରେ ପେଟ୍ରୋଲିଂ ଧିମା ପଡ଼ିଛି। ଯାହାର ଫାଇଦା ବେପାର ଓ ମଦ୍ୟପଙ୍କୁ ସୁହାଇଛି। ସାମାଜିକ ଦୂରତା ଦୂରରେ ଥାଉ ମଦ ପିଇପିଇ ମଦ୍ୟପଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଘଟୁଛି। ଫଳରେ ବିଭିନ୍ନ ରୋଗରେ ମୃତ୍ୟୁମୁଖରେ ପଡୁଛନ୍ତି। କରୋନା ପାଇଁ ନିଶାନିବାରଣ ଅଭିଯାନ ମଧ୍ୟ ଗ୍ରାମ ମହିଳାଙ୍କ ଦ୍ୱାରା ବନ୍ଦ ପଡ଼ିଛି। ଅବକାରୀ ବିଭାଗ ସ୍ୱତନ୍ତ୍ର ଭାବେ ଚୋରାକାରବାର ରୋକିବା ପାଇଁ କାର୍ଯ୍ୟ କରୁଥିବା ବେଳେ ଏଠାକାର ନିଷ୍କ୍ରିୟତା ସେମାନେ କୋମାରେ ଥିବା ଭଳି ଅନୁଭୂତ ହେଉଛି। ବିଭାଗର ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ