ଗାନ୍ଧୀ ଜୟନ୍ତୀରେ ସମ୍ବର୍ଦ୍ଧିତ ହେବେ ବିଶିଷ୍ଟ ଗାନ୍ଧିବାଦୀ ଜୟଦେବ କମିଳା
ବାଲେଶ୍ୱର : ଆସନ୍ତା ଅକ୍ଟୋବର ୨ ତାରିଖରେ ପାଳନ ହେବାକୁ ଥିବା ୧୫୦ତମ ମହାତ୍ମା ଗାନ୍ଧୀ ଜୟନ୍ତୀ ସମାରୋହରେ ସ୍ଥାନୀୟ ଅଂଚଳର ବିଶିଷ୍ଟ ଗାନ୍ଧିବାଦୀ ଶ୍ରୀ ଜୟଦେବ କମିଳାଙ୍କୁ ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯିବ । ଶ୍ରୀ କମିଳା ବର୍ତମାନ ୯୨ ବର୍ଷ ବୟସରେ ଉପନୀତ ଏବଂ ସାରା ଜୀବନ ଗାନ୍ଧୀ ବିଚାରଧାରାର ଜଣେ ଦୃଢ ସମର୍ଥକ ରହିବା ସହିତ ଗାନ୍ଧୀ ବାଣୀ ଓ ଆଦର୍ଶକୁ ପାଥେୟ କରି ସେ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି । ବୟସର ଅପରାହ୍ନରେ ବି ସେ ଥକି ପଡିନାହାଁନ୍ତି । ସାରସ୍ୱତ ସାଧନାରେ ନିମଗ୍ନ ରହି ଦୁଇ ବର୍ଷ ତଳେ “ଗାନ୍ଧୀ କଥାମୃତ” ନାମକ ଏକ ପୁସ୍ତକ ରଚନା କରିଥିଲେ । ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ତାରିଖରେ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ତୁଡିଗଡିଆ ଠାରୁ କୁପାରୀ ରାସ୍ତାକୁ “ଗାନ୍ଧୀ ମାର୍ଗ” ଭାବେ ଘୋଷଣା କରାଯିବ । ଏଥି ସହିତ ରେମୁଣା ବ୍ଲକର ଗୁଡୁଦା ଗ୍ରାମକୁ ଲୋକକଳା ଗ୍ରାମ ଭାବେ ଲୋକାର୍ପଣ କରାଯିବ । ଇତି ମଧ୍ୟରେ ୨୮ ତାରିଖ ଦିନ ସ୍ଥାନୀୟ ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ସହଯୋଗିତାରେ ତୈଳଚିତ୍ର, କୋଲାଜ, ସ୍ଥାପତ୍ୟ କଳାର ଏକ ଶିଳ୍ପୀ ଶିବିର ଆୟୋଜନ ହୋଇଯାଇଛି । ସେହିପରି ୨୯ ତାରିଖ ଦିନ ସେହି ମହାବିଦ୍ୟାଳୟ ପରିସରରେ ମହିଳାମାନଙ୍କ ମଧ୍ୟରେ ଏକ ମୁରୂଜ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଆସନ୍ତା କାଲି ୩୦ ତାରିଖ ସଂଗ୍ରାମୀ ମାଟି ଇଂଚୁଡି ଠାରେ ଏକ ପ୍ରତୀକ ଲବଣ ସତ୍ୟାଗ୍ରହ ପଦଯାତ୍ରାର ଆୟୋଜନ କରାଯାଇଛି । ସେଠାରେ ମଧ୍ୟ “ଗାନ୍ଧୀ ଗପ ଓ ଆଲୋଚନାଚକ୍ର” ସହିତ ଗାନ୍ଧିଜୀଙ୍କ ଉପରେ ଏକ ଫଟୋ ପ୍ରଦର୍ଶନୀର ଆୟୋଜନ କରାଯିବ । ଅକ୍ଟୋବର ୨ ତାରିଖରେ ପ୍ରାତଃରୁ ରାମଧୁନ, ପ୍ରଭାତଫେରୀ, ବୃକ୍ଷରୋପଣ, ସଫେଇ ଅଭିଯାନ, ପ୍ରତିମୂର୍ତିରେ ମାଲ୍ୟାର୍ପଣ ପ୍ରଭୃତି କାର୍ଯ୍ୟକ୍ରମ ସହ ଦିବା ଘ୯.୩୦ମି ସମୟରେ ଗାନ୍ଧୀ ସ୍ମୃତି ଭବନ ଠାରେ ସାଧାରଣ ସଭା ଓ ପର୍ଯ୍ୟଟନ ପର୍ବ ଆୟୋଜନ ସହିତ,ପୁରୁଣା ସମ୍ବାଦପତ୍ର, ଗାନ୍ଧୀଙ୍କ ବିରଳ ଫଟୋଚିତ୍ର ଓ ସାମଗ୍ରୀ ପ୍ରଦର୍ଶନ କରାଯିବ । ଏଥି ସହିତ ଗାନ୍ଧୀଙ୍କ ଉପରେ ଆଧାରିତ ତୈଳଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯିବ । ସନ୍ଧ୍ୟାରେ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ । ଏଥି ସହିତ କସ୍ତୁରବା ଆଦର୍ଶ ଗ୍ରାମ ପଂଚାୟତ, ନିର୍ମଳ ଗ୍ରାମ, ମହିଳା କୁଟୀର ଶିଳ୍ପ ଉଦ୍ୟୋଗୀ ଭଳି ପୁରସ୍କାରମାନ ପ୍ରଦାନ କରାଯିବ । କାର୍ଯ୍ୟକ୍ରମର ଅନ୍ତିମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଶେଷ କାର୍ଯ୍ୟକ୍ରମ ଭାବେ ସ୍ରଷ୍ଟା ନାଟ୍ୟ ଅନୁଷ୍ଠାନ ତରଫରୁ ନାଟକ “ସତ ମିଛର ଗାନ୍ଧୀ” ପରିବେଷଣ କରାଯିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତଙ୍କ ଠାରୁ ପ୍ରକାଶ । ଏହି ଜୟନ୍ତୀ ସମାରୋହ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଛି ।


