ଗିରଫ ଦାବୀରେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ଦିବ୍ୟାଙ୍ଗ ବାପା
ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ଥାନା ଅଧିନ ପଧାନପଡା ଗ୍ରାମର ଦିବ୍ୟାଙ୍ଗ କାର୍ତ୍ତିକ ଯେନାଙ୍କ ପୁଅ ବିରଞ୍ଚି ନାରାୟଣ ଯେନାଙ୍କୁ ଗତ ଡିସେମ୍ବର ୧୮ ତାରିଖରେ କିଛି ବ୍ୟକ୍ତି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ପତ୍ନୀ ସୁପର୍ଣ୍ଣାଙ୍କୁ ମାଡ ମାରିଥିଲେ । ଖବର ପାଇ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏହି ଘଟଣାରେ ବିରଞ୍ଚିଙ୍କ ଅଭିଯୋଗକ୍ରମେ ପୋଲିସ କେସ ନଂ୧୭୫/୧୯ ମୂଳେ ୧୯ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଥିଲା । ମାତ୍ର ଏହା ମଧ୍ୟରେ ଏକ ମାସ ବିତିଯାଇଥିବା ବେଳେ ସଂପୃକ୍ତ ଅଭିଯୁକ୍ତ ମାନେ ଦିନଦ୍ୱିପ୍ରହରରେ ବଜାରରେ ବୁଲୁଥିଲେ ମଧ୍ୟ ସେମାନଙ୍କୁ ପୋଲିସ ଗିରଫ କରୁନଥିବା ନେଇ ବିରଞ୍ଚିଙ୍କ ଦିବ୍ୟାଙ୍ଗ ବାପା କାର୍ତ୍ତିକ ଯେନା ଓ ତାଙ୍କ ମାଆ ଭାନୁମତୀ ଯେନା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଗୁହାରୀ କରିଛନ୍ତି । ଅଭିଯୁକ୍ତ ମାନେ ସେମାନଙ୍କ ଘରକୁ ଆସି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରି ଦେବାକୁ ନାନାଦି ଧମକ ଦେଉଥିବା ଅଭିଯୋଗରେ ଦର୍ଶାଇଛନ୍ତି । ୭ ଦିନ ମଧ୍ୟରେ ସଂପୃକ୍ତ ଅଭିଯୁ୍କ୍ତ ମାନଙ୍କୁ ଗିରଫ କରାନଗଲେ ସେମାନେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିସହ ସେମାନେ ମାନବାଧିକାର କମିଶନ, ଭୁବନେଶ୍ୱରଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।


