ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ଠାରୁ ୫ଶହ ମିଟର ମଧ୍ୟରେ ଆନ୍ଦୋଳନ, ଧାରଣା ଏବଂ ସଭାସମିତି ନିଷେଧ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଏଣିକି ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ସମ୍ମୁଖଠୁ ୫୦୦ ମିଟର ଦୂରତ୍ୱ ମଧ୍ୟରେ ଆନ୍ଦୋଳନ, ଧାରଣା ଏବଂ ସଭାସମିତି ପାଇଁ ନିଷେଧାଞ୍ଚଳ ବୋଲି ଛତ୍ରପୁର ସବ୍‌ଜଜ୍ କୋର୍ଟ ପକ୍ଷରୁ ବନ୍ଦରର ୧୦ ଟି ଶ୍ରମିକ ୟୁନିୟନ୍‌ର କର୍ମକର୍ତ୍ତାଙ୍କୁ କଡା ନିର୍ଦ୍ଦେଶ ଜାରି ହୋଇଛି । ଏପରିକି ଶ୍ରମିକ ୟୁନିୟନ୍ କିମ୍ବା ଅନ୍ୟାନ୍ୟ ସଂଗଠନମାନେ ବନ୍ଦର ପଣ୍ୟ କାରବାରରେ ବାଧା ସୃଷ୍ଟି କଲାଭଳି ବ୍ୟବହୃତ ହେଉଥିବା ଯାନାବାହନ ଏବଂ କର୍ମଚାରୀମାନଙ୍କୁ ମଧ୍ୟ ଅବରୋଧ କରି ପାରିବେ ନାହିଁ ବୋଲି ଛତ୍ରପୁର ସହକାରୀ ଦୌରଜଜ୍ ତଥା ସବ୍‌ଜଜ୍ ସ୍ୱୟଂ ପ୍ରଭା ଆଚାର୍ଯ୍ୟ ୧୦ ଟି ଶ୍ରମିକ ୟୁନିୟନ୍‌ର ୪୩ ଜଣ କର୍ମକର୍ତ୍ତାଙ୍କୁ ତାଙ୍କରି ରାଏରେ ସୂଚାଇ ଦେଇଛନ୍ତି । ୨୦୧୯ ମଇ ୨ ତାରିଖରେ ଗୋପାଳପୁର ବନ୍ଦର ପକ୍ଷରୁ ସିଇଓ କ୍ୟାପଟନ୍ ସନ୍ଦୀପ୍ ଅଗ୍ରୱାଲା ଆଇନଜୀବୀ ବି.ଶ୍ରୀନିବାସଙ୍କ ଜରିଆରେ ଛତ୍ରପୁର ସବ୍‌ଜଜ୍ କୋର୍ଟରେ ଦାଖଲ ହୋଇଥିବା (ଇଞ୍ଜୁକେସନ୍‌) ନିଷେଧାଦେଶ ପିଟିସନ୍ ଶୁଣାଣି କରି ଛତ୍ରପୁର ସବ୍‌ଜଜ୍ ଉପରୋକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି । ସିଏସ୍ ୨୩/୨୦୧୯ ନମ୍ବର ମକଦ୍ଦମା ଶେଷ ହେବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତୋର ରହିବ ବୋଲି ସେ ତାଙ୍କରି ରାଏରେ ପ୍ରକାଶ କରିଛନ୍ତି ବୋଲି ଆଇନଜୀବୀ ବି.ଶ୍ରୀନିବାସ ସୂଚନା ଦେଇଛନ୍ତି । ଗତ ୫ ତାରିଖରେ ଏହି ରାଏ ପ୍ରକାଶ ପାଇଥିବା ବେଳେ କୋର୍ଟ ପକ୍ଷରୁ ଗତକାଲି ସ୍ୱୀକୃତ ପତ୍ର ହସ୍ତକ୍ଷେପ ହୋଇଛି ବୋଲି ଆଇନଜୀବୀ ବି.ଶ୍ରୀନିବାସ କହିଛନ୍ତି । ମିଳିଥିବା ସୂଚନାନୁସାରେ, ଗୋପାଳପୁର ବନ୍ଦର ସମ୍ମୁଖରେ ଶ୍ରମିକ ୟୁନିୟନ୍ ପକ୍ଷରୁ ବିଭିନ୍ନ ଅବସ୍ଥାକ ଦାବି ପ୍ରସଙ୍ଗରେ ବାରମ୍ବାର ଆନ୍ଦୋଳନ ଏବଂ ଧାରଣା ଦେଇ ଦୈନନ୍ଦିନ ପଣ୍ୟ ଆମଦାନୀ ଓ ରପ୍ତାନୀ କାର୍ଯ୍ୟରେ ବାଧା ସୃଷ୍ଟି କରି ଆସୁଥିଲେ । ଏଥିରେ ପ୍ରଶାସନ ଓ ବନ୍ଦର କର୍ତ୍ତୃପକ୍ଷ ହସ୍ତକ୍ଷେପ କରି ବହୁବାର ସମାଧାନ ପାଇଁ ଆଲୋଚନା କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ପୁଣି ପୂର୍ବଭଳି ଶ୍ରମିକ ୟୁନିୟନ୍ ପକ୍ଷରୁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥାନ୍ତି । ଏନେଇ ଗୋପାଳପୁର ବନ୍ଦର ପ୍ରତି ଅନ୍ୟାନ୍ୟ ଛୋଟ ଛୋଟ କମ୍ପାନୀ ବିଶ୍ୱାସ ହରାଇବାକୁ ବସିଥିଲେ । ଫଳରେ ଗୋପାଳପୁର ବନ୍ଦରର କୋଟି କୋଟି ଟଙ୍କା କ୍ଷତିଗ୍ରସ୍ତ ହେବା ସହ ଆନ୍ତର୍ଜାତୀୟ ସ୍ତରରେ ଏହି ବନ୍ଦରର ସମ୍ମାନ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଥିଲା । ଗୋପାଳପୁର ବନ୍ଦରକୁ ଦେଶ ଓ ବିଦେଶୀରୁ ଜାହାଜ ପଣ୍ୟ କାରବାର ପାଇଁ ଅମଙ୍ଗ ପ୍ରକାଶ କରିବା ଆରମ୍ଭ କରିଥିଲେ । ଏଥିସହ ଗୋପାଳପୁର ବନ୍ଦର ପଣ୍ୟ କାରବାରରରେ ସଂପୂର୍ଣ୍ଣ ବାଧା ପାଇବା ଯୋଗୁଁ ଓଡିଶା ସରକାର ଓ କେନ୍ଦ୍ର ସରକାର ମଧ୍ୟ ରାଜସ୍ୱ ହାନୀ ଦେଖାଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ଗୋପାଳପୁର ବନ୍ଦର ପକ୍ଷରୁ ଛତ୍ରପୁର ସବଜଜ୍ କୋର୍ଟରେ ଆଶ୍ରୟ ନେଇଥିଲେ । ବନ୍ଦର ସିଇଓ କ୍ୟାପଟନ୍ ଅଗ୍ରୱାଲା ଗୋପାଳପୁର ବନ୍ଦର ଅଧୀନରେ କାର୍ଯ୍ୟ କରୁଥିବା ୧୦ ଟି ଶ୍ରମିକ ୟୁନିୟନ୍‌ର ସଭାପତି ଓ ସଂପାଦକଙ୍କ ସମେତ ୪୩ ଜଣଙ୍କ ବିରୋଧରେ କୋର୍ଟରେ ଏକ ଇଞ୍ଜୁକେସନ୍ ପିଟିସନ୍ ଦାଖଲ କରିଥିଲେ । ଗୋପାଳପୁର ବନ୍ଦର ପକ୍ଷରୁ ଆଇନଜୀବୀ ବି.ଶ୍ରୀନିବାସ ରାଓ ଏବଂ ତାଙ୍କ ସହଯୋଗୀମାନେ ମକଦ୍ଦମା ପରିଚାଳନା କରିଥିବା ବେଳେ ଶ୍ରମିୟ ୟୁନିୟନ୍‌ଙ୍କ ତରଫରୁ ଆଇନଜୀବୀ ସ୍ୱନ୍ତ ଦାଶ, କୃଷ୍ଣଚନ୍ଦ୍ର ସାହୁ(ବି),କୃଷ୍ଣଚନ୍ଦ୍ର ସାହୁ(ଏ),ଗୋକୁଳ ଚନ୍ଦ୍ର ପଣ୍ଡା, ଶ୍ରୀକାନ୍ତ ମିଶ୍ର, ଡି.କେ.ମିଶ୍ର ଏବଂ ପି.ସିଏଚ୍‌.ସାହୁ ଓ ସେମାନଙ୍କ ସହଯୋଗୀମାନେ ମକଦ୍ଦମା ଲଢୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ