ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଆୟୋଜନ କରିବା ପାଇଁ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବାର୍ଷୀକ ଉତ୍ସବ ଆୟୋଜନ କରିବା ପାଇଁ ମହାବିଦ୍ୟାଳୟର ଯୁକ୍ତ ୩ ଓ ଯୁକ୍ତ ୨ର ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଶନିବାର ଲିଖିତ ଭାବେ ଜଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ମଧ୍ୟରେ କାଜଲ ସ୍ୱାଇଁ,ଦୀପିକା ଲେଙ୍କା,ସ୍ୱର୍ଣ୍ଣପ୍ରଭା ପରିଡା, କାବେରୀ ସ୍ୱାଇଁ, ରଚନା ପ୍ରଧାନ,ମାନସୀ ମଲ୍ଲିକ,ସରୋଜ ଦାସ, ସୁଧୀରଦାସ ଆଦି ଅନୁମତି ପାଇଁ ଆବେଦନ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ କିଛି ଛାତ୍ରଛାତ୍ରୀ ଭୁବନେଶ୍ୱରସ୍ଥିତ ଆଂଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ଶୁକ୍ରବାର ଲିଖିତ ଭାବେ ଜଣାଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିକାଶ କୁମାର ନାୟକ, ସ୍ମୃତି ରଂଜନ ଜେନା,ନିଗମା ନନ୍ଦ ସ୍ୱାଇଁ,ଆଶୁତୋଷ ପରିଡା,ଅମରଦୀପ ରଣା, ସାଗର ଖୁଂଟିଆ ଆଦି ଏହି ଅଭିଯୋଗ ପ୍ରଦାନ କରିଥିବା ଜଣାଯାଇଛି । ଅଭିଯୋଗ ମୁତାବକ ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟା ରହିଥିବା ବେଳେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । କିନ୍ତୁ ମହାବିଦ୍ୟାଳୟ ପରୀକ୍ଷା ଅଳ୍ପ ଦିନ ଥିବା ବେଳେ ମହାବିଦ୍ୟାଳୟ ପରିସରରେ କୌଣସି ବାର୍ଷିକ ଉତ୍ସବ ନକରିବା ପାଇଁ ଅଭିଯୋଗରେ ଦର୍ଶାଇଥିଲେ । ଉକ୍ତ ଅଭିଯୋଗର ନକଲ କପି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟକୁ ପଠାଯାଇଥିଲା । ଏ ବିଷୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଚାଇନା ପ୍ରଧାନଙ୍କୁ ପଚାରିବାରୁ ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଉପଜିଲ୍ଲାପାଳ ରହିଛନ୍ତି । ଉଭୟ ଅଭିଯୋଗକୁ ଉପଜିଲ୍ଲାପାଳଙ୍କୁ ପଠାଯାଇଛି । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରାଯିବ ବୋଲି କହିଥିଲେ ।


