ଗୋବରୀ ନଦୀ ଉପରେ ସୁଉଚ୍ଚ ବିଜୁ ସେତୁ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅ ପଂଚାୟତର ଧୂଆଁପଦା ଠାରେ ଗୋବରୀ ନଦୀ ଉପରେ ସୁଉଚ୍ଚ ବିଜୁ ସେତୁର ଭିତି ପ୍ରସ୍ତର ସ୍ଥାପନ ଶୁକ୍ରବାର ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ବ୍ଳକ ବିଜେଡି ସଭାପତି ସୁଜିତ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ମୁଦୁଲି, ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ପ୍ରକାଶ ବସ୍ତିଆ, ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ଆତ୍ମ କମିଟିର ଅଧ୍ୟକ୍ଷ ବସନ୍ତ ପାଢୀ,ଜିଲା ପରିଷଦ ସଭ୍ୟ ସୁବଳ ବେହେରା, ଯୁବ ନେତା ପ୍ରଦୀପ୍ତ ସ୍ୱାଇଁ, ଅଜୟ ମହାନ୍ତି, କୋରୁଅ ସରପଂଚ ଅରଣ୍ୟ ନାୟକ,ସମିତି ସଭ୍ୟା ବନ୍ଦାନା ପୁଝାରୀ ଆଦିଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଇଂ ସରୋଜ କୁମାର ସାମନ୍ତରାୟ, କନିଷ୍ଠ ଯନ୍ତ୍ରୀ ଇଂ ବିନୋଦ କୁମାର ତରାଇ ଆଦି ଉପସ୍ଥିତ ଥିଲେ । ଗୋବରୀ ନଦୀରେ ଉକ୍ତ ପୋଲ ହେବା ଦ୍ୱାରା କୋରୁଅ ପଂଚାୟତ ସମେତ ଓଷକଣା ପଂଚାୟତକୁ ଗମନାଗମନ ସୁବିଧା ହୋଇ ପାରିବା ସହିତ ଜନସାଧାରଣଙ୍କର ଦୀର୍ଘ ଦିନର ସ୍ୱପ୍ନ ପୁରଣ ହୋଇ ପାରିବ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଉକ୍ତ ପୋଲର ଦୈର୍ଘ ୨୪୫ ମିଟର ଥିବା ବେଳେ ନିର୍ମାଣ ପାଇଁ ୮ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯିବାର ଯୋଜନା କରାଯାଇଥିବା ସହକାରୀ ଯନ୍ତ୍ରୀ ସାମନ୍ତରାୟ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଯୁବନେତା ସୁଶାନ୍ତ ପରିଡା, ରଂଜନ ଦାସ, ହିରଣ୍ୟ ନାୟକ, ନାରାୟଣ ନାୟକ, କୈଳାସ ଦଳାଇ, କୃତିବାସ ନାୟକ ଆଦି ପରିଚାଳନା କରିଥିଲେ ।


