ଗୋ ଗ୍ରୀନ୍ ନର୍ସରି ଉଦ୍ଘାଟିତ
ଭୁବନେଶ୍ୱର, : ବିଶ୍ୱ ତାପମାନ ଯୋଗୁ ଯେଉଁ ପ୍ରଳୟଙ୍କାରୀ ଆଶା କରାଯାଉଛି ତାର କାରଣ ହେଉଛି ମାନବ ସମାଜ । ମଣିଷ ପାଖରେ ଏହାର ନିରାକରଣ ମଧ୍ୟ ରହିଛି । ଏଭଳି ବିପଦକୁ ଏଡ଼ାଇବା ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ । ରାଜଧାନୀରେ ବିଭିନ୍ନ ସ୍ଥାନରେ ସବୁଜିମାମୟ ପରିବେଶ ସୃଷ୍ଟି କରିବା ଆବଶ୍ୟକ । ତେଣୁ ଏହିଭଳି କାର୍ଯ୍ୟକ୍ରମ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପଟିଆ ସୂର୍ଯ୍ୟନଗରସ୍ଥିତ ଗ୍ରୋ ଗ୍ରୀନ୍ ଅତ୍ୟାଧୁନିକ ନର୍ସରୀକୁ ଉଦ୍ଘାଟନ କରି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି । ପଟ୍ଟନାୟକ ଆହୁରି କହିଛନ୍ତି ଯେ, କେବଳ ଗୋଟିଏ ଚାରା ପୋତିଦେଲେ ହେବ ନାହିଁ, ତା’ପଛରେ ଥିବା ଭାବନା ଆମ ଆଚରଣ ଓ ଉଚ୍ଚାରଣରେ ପ୍ରତିଫଳିତ ହେବା ଦରକାର । ଉତ୍ସବରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ । ଅତିଥିମାନେ ଦୁଇମହଲା ବିଶିଷ୍ଟ ଗ୍ରୀନ୍ ଗ୍ୟାଲେରିକୁ ଉଦ୍ଘାଟନ କରି ବିଭିନ୍ନ ପ୍ରକାର ଗାଲିଚା ବୁଲି ଦେଖିଥିଲେ । ଅନୁଷ୍ଠାନର ମୁଖ୍ୟ ଅଶୋକ ଶାରଦା ଅତିଥିମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶିକା ଶ୍ରୀ ସମ୍ପର୍ଣ୍ଣା ଅତିଥିମାନଙ୍କୁ ଗାଲିଚା ବୁଲାଇ ଦେଖାଇଥିଲେ । ସମର୍ଥ ସତ୍ୟ ଓ ପ୍ରତୀକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଗ୍ରୋ ଗ୍ରୀନ୍ ଅତ୍ୟାଧୁନିକ ନର୍ସରିରେ ଅଳ୍ପ ସ୍ଥାନରେ ଘର ଭିତରେ, ବାହାରେ, ବାଲକୋନୀ ଓ ଛାତ ଉପରେ ଗଛକୁ ସୁନ୍ଦର ଶୈଳୀରେ ରୋପଣ କରାଯାଇ ପାରିବା ଭଳି ଗଛ ଉପଲବ୍ଧ । ଘରକୁ ସୁନ୍ଦର ଭାବେ ସଜାଇବା ଓ ବନ୍ଧୁମାନଙ୍କୁ ଉପହାର ଦେବା ନେଇ ଡ଼ିଜାଇନ୍ ପାତ୍ରରେ ବୃକ୍ଷ ମଧ୍ୟ ଏଠାରେ ଉପଲବ୍ଧ ।


