ଘରୋଇ କଳହକୁ କେନ୍ଦ୍ର କରି ଯୁବକକୁ ମରଣାନ୍ତକ ଆକ୍ରମଣ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଘରୋଇ କଳହକୁ କେନ୍ଦ୍ର କରି ପ୍ରଥମେ କଥା କଟାକଟି ହେବା ସହ ଜଣେ ଯୁବକକୁ ତାଙ୍କର ଦାଦା,ପିଉସୀ ଓ ପିଉସୀଙ୍କ ପୁଅ ମିଳିତ ଭାବେ ଠେଙ୍ଗା ଓ କାତିରେ ରକ୍ତାକ୍ତ ଆକ୍ରମଣ କରିଛନ୍ତି ।ଯୁବକ ଜଣକ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।କାତିରେ ହାଣି ତାଙ୍କ ମୁଣ୍ଡକୁ ଦୁଇଫାଳ କରିଦେଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଯୁବକଙ୍କ ପରିବାର ସୁତ୍ରରୁ ଜଣାପଡିଛି ।ଖବରୁ ଜଣାପଡିଛି ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଉଢୁରା ପଞ୍ଚାୟତ ଅନ୍ତର୍ଗତ କୋକଲୁଣ୍ଡା ଗ୍ରାମର ସୁବାଷ ଡାକୁଆଙ୍କ ପୁଅ ଶଙ୍କର ଡାକୁଆ(୨୪),ଗତ ରାତ୍ର ୮ ଘଣ୍ଟା ୩୦ ମିନିଟ ସମୟରେ ଘରେ ଥିବା ବେଳେ ଶଙ୍କର ର ଦାଦା ଶିବରାମ ଡାକୁଆ(୪୫) ଓ ଶଙ୍କରର ପିଉସୀ ତେନ୍ତୁଳିଆ ଗ୍ରାମର କୌଶଲ୍ୟା ଡାକୁଆ,ପିଉସୀ ପୁଅ ଚିରଞ୍ଜୀବି ଡାକୁଆ(୨୮) ତିନିହେଁ ମିଶି ଶଙ୍କର ସହ କୌଣସି କଥାକୁ ଧରି ଯୁକ୍ତି ତର୍କ କରିଥିଲେ ।ଧିରେ ଧିରେ କଥା କଟାକଟି ହୋଇ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।ପିଉସୀ ଏକ ଠେଙ୍ଗାରେ ଶଙ୍କରକୁ ବାଡେଇଥିଲା ।ପରେ ଦାଦା ଶିବରାମ ଓ ପିଉସୀ ପୁଅ ଚିରଞ୍ଜିବି ଦୁହେଁ ଏକ ଲମ୍ବା କାତି ସାହାଯ୍ୟରେ ଶଙ୍କରର ମୁଣ୍ଡକୁ ଚୋଟ ପକାଇଥିଲେ ।ଘଟଣା ସ୍ଥଳରେ ଶଙ୍କର ମୁଣ୍ଡ ଦୁଇ ଫାଳ ହୋଇଯିବାପରି ଦେଖାଯିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା ।ତାକୁ ମୁର୍ମୁଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡମେଡିକାଲ୍ କୁ ନେଇଥିଲେ ।ଏ ନେଇ ଶଙ୍କରର ମାଁ ଗୀତାଞ୍ଜଳୀ ଡାକୁଆ ବେଲଗୁଣ୍ଠା ଫାଣ୍ଡିରେ ତିନି ଜଣଙ୍କ ନାଁ ରେ ଏତାଲା ଦେବା ପରେ ପୋଲିସ ୩୮୦/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ