ଘର ଘର ବୁଲି ଭୋଟ ଭିକ୍ଷା କଲେ ଅଧ୍ୟକ୍ଷା ପ୍ରାର୍ଥିନୀ ଟି. ଲକ୍ଷ୍ମୀ
ଛତ୍ରପୁର, (ଦେବଦତ୍ତ ମହାରଣା):ବୁଧବାର ଦିନ ପ୍ରାର୍ଥୀପତ୍ର ଯାଂଚ ସରିଲା ପରେ ଛତ୍ରପୁର ଏନଏସିରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ପ୍ରାର୍ଥୀ ମାନେ କିପରି ନିଜ ସପକ୍ଷରେ ଭୋଟ ହାତେଇବେ ସେଥି ନିମନ୍ତେ ବିଭିନ୍ନ ପ୍ରକାର ରଣ କୌଶଳ ଆରମ୍ଭ କରିଦେଲେଣି । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ଜନ କଲ୍ୟାଣ ଯୋଜନା ଗୁୁଡିକ କିପରି ଲୋକମାନଙ୍କ ପାଖରେ ବାର୍ତ୍ତା ପହଂଚାଇ ନିଜ ନିଜ ସପକ୍ଷରେ ଭୋଟ ହାତେଇବେ ସେଥି ନିମନ୍ତେ ବିଜୁ ଜନତା ଦଳ ଅଧ୍ୟକ୍ଷାଙ୍କ ସମେତ ସମସ୍ତ କାଉନସିଲର ପ୍ରାର୍ଥୀ ଏବଂ ପ୍ରାର୍ଥିନୀ ମାନେ ପ୍ରଚାର ଜୋରଦାର ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗୁରୁବାର ଛତ୍ରପୁର ସହରର ମେଇନ ରୋଡ ଠାରେ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ପକ୍ଷରୁ ଏକ ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ ଦଳୀୟ ପ୍ରାର୍ଥୀ ମାନଙ୍କ ପୁଷିଙ୍ଗ କାର୍ଡ ଗୁଡିକ ଉନ୍ମୋଚନ କରିଛନ୍ତି । ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜିବାବୁ ଓ ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓଙ୍କ ସଂଯୋଜନାରେ ଅନୁଷ୍ଠିତ ନିର୍ବାଚନୀ ପ୍ରସ୍ତୁତି ବୈଠକରେ ଉଭୟ ବ୍ରହ୍ମପୁର ସାଂସଦ ଓ ଛତ୍ରପୁର ବିଧାୟକ ଯୋଗ ଦେଇ ଛତ୍ରପୁର ଏନଏସିର ଅଧ୍ୟକ୍ଷା ପ୍ରାର୍ଥିନୀ ଟି. ଲକ୍ଷ୍ମୀ ଓ ସମସ୍ତ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀ ମାନଙ୍କୁ ବିପୁଳ ଭୋଟରେ କିପରି ବିଜୟୀ କରାଯିବ ସେଥି ନିମନ୍ତେ ଦଳୀୟ ନେତା ଓ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେବା ସହିତ ସମସ୍ତେ ଏକ ମନ ଏକତ୍ର ହୋଇ ଦଳୀୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରିବା ନିମନ୍ତେ ହୁଇପ୍ ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଯୋଗୁଁ ଗତ ପଂଚାୟତ ନିର୍ବାଚନରେ ବିଜେଡି ଅହେତୁକ ସଫଳତା ହାସଲ କରିବା ପରେ ପୌର ନିର୍ବାଚନରେ ମଧ୍ୟ ଛତ୍ରପୁର ଏନଏସିରେ ବିଜେଡି କ୍ଲିନ ସୁଇପ କରିବ ବୋଲି ଉଭୟ ସାଂସଦ ଓ ବିଧାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଛତ୍ରପୁର ଏନଏସିର ଅଧ୍ୟକ୍ଷା ପ୍ରାର୍ଥିନୀ ଟି. ଲକ୍ଷ୍ମୀଙ୍କ ଉପରେ ଆଶା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟିକଟ ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଦଳୀୟ ସମସ୍ତ ପ୍ରାର୍ଥୀ ମାନେ କିପରି ବିପୁଳ ଭୋଟରେ ବିଜୟୀ ହେବେ ସେଥି ନିମନ୍ତେ ଅଧ୍ୟକ୍ଷା ପ୍ରାର୍ଥିନୀ ଟି. ଲକ୍ଷ୍ମୀ ବିଭିନ୍ନ ମତ ରଖିଥିଲେ । ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ୨୦ ନଂ ଜିଲ୍ଲା ପରିଷଦ ସଭ୍ୟ ଏମ୍. ଧନଞ୍ଜୟ ରେଡ୍ଡି, ପୂର୍ବତନ କାଉନସିଲର ରାଜେସ ସାହୁ, କିଶୋର ଚନ୍ଦ୍ର ସେନାପତି, ପୂର୍ବତନ ସାଂସଦ ପ୍ରତିନିଧି ତଥା ୪ ନଂ ୱାର୍ଡର କାଉନସିଲର ପ୍ରାର୍ଥୀ ଜି. ପାପା ରାଓଙ୍କ ସମେତ ବହୁ ଛାମୁଆ ନେତା ମାନେ ଯୋଗ ଦେଇ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ସମେତ ସମସ୍ତ କାଉନସିଲର ପ୍ରାର୍ଥି ମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିପୁଳ ପରିମାଣରେ କିପରି ବିଜୟୀ କରାଯିବ ସେଥି ନିମନ୍ତେ ସଂକଳ୍ପ ନେଇଥିଲେ । ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ହୋଇଥିବାରୁ ସଦାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତ୍ରପୁରର ଉନ୍ନତି କରି ଆସୁଛନ୍ତି । ଆଗାମୀ ଦିନରେ ସହରବାସୀ ଦଳୀୟ ପ୍ରାର୍ଥୀ ମାନଙ୍କୁ ବହୁ ମାତ୍ରାରେ ଭୋଟ ଦେଇ ବିଜୟୀ କଲେ ଏହି ବିକାଶଧାରା ଜାରି ରହିବ ବୋଲି ଅଧିକାଂଶ ନେତା ଓ କର୍ମୀ ମାନେ ନିଜ ନିଜ ଅଭିଭାଷଣରେ ଏହା ବର୍ଣ୍ଣନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଆଇନ ସାମ୍ମୁଖ୍ୟର ଆବାହକ ମନୋଜ କୁମାର ପାଢି, ସଭାପତି ସୁରେଶ କୁମାର ପଣ୍ଡା. ସମ୍ପାଦକ ଏଲ୍. ଗୋପାଳ ରାଓ, ଉପସଭାପତି ଅହି ଭୂଷଣ ସାହୁ, ପୂର୍ବତନ କାଉନସିଲର ବାଦଲ କୁମାର ପାଣ୍ଡି, ଡମ୍ବୁରୁଧର ସାହୁ, ରବୀନ୍ଦ୍ର ସାହୁ, ଅଟଳ ବିହାରୀ ପଟ୍ଟନାୟକ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରାଙ୍କ ସମେତ ୧୪ ଟି ୱାର୍ଡର କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀ ଏବଂ ବିଜେଡି ଛାମୁଆ ନେତା ମାନେ ଉପସ୍ଥିତ ଥିଲେ । ପରେ ଛତ୍ରପୁର ଏନଏସି ଅଧ୍ୟକ୍ଷା ପ୍ରାର୍ଥିନୀ ଟି. ଲକ୍ଷ୍ମୀ ତାଙ୍କର ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ୧୪ ନଂ ୱାର୍ଡ ଅନ୍ତର୍ଗତ ରିକାପଲ୍ଲୀ ହରିଜନ ସାହିରୁ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜନୈତିକ ମୈଦାନକୁ ଓହ୍ଲାଇଥିବା ସେ କହିବା ସହ ନିର୍ବାଚିତ ହେବା ପରେ ନବୀନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକ କିପରି ଲୋକାଭିମୁଖୀ ହୋଇପାରିବ ସେ ଉପରେ ଗୁରୁତ୍ୱ ଦେବେ ବୋଲି ଭୋଟରଙ୍କୁ ପ୍ରତିଶୃତି ଦେଉଥିବା ଲକ୍ଷ୍ୟ କରାଯାଉଛି । ଏହି ପ୍ରଚାରର ମଙ୍ଗ ଧରିଛନ୍ତି ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ । ତାଙ୍କ ସହ ବହୁ ଛାମୁଆ ନେତା ମାନେ ସାମିଲ ହୋଇ ଅଧ୍ୟକ୍ଷା ପ୍ରାର୍ଥୀନୀ ଟି.ଲକ୍ଷ୍ମୀଙ୍କ ସମେତ ଦଳୀୟ କାଉନସିଲର ପ୍ରାର୍ଥୀ ମାନଙ୍କ ନିମନ୍ତେ ଭୋଟ ଭିକ୍ଷା କରୁଛନ୍ତି ।


