ଚତୁର୍ଥ ପର୍ଯ୍ୟାୟ ଲକଡ଼ାଉନ, ଦ୍ୱନ୍ଦରେ କ୍ଷୁଦ୍ର ବ୍ୟବସାୟୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାରା ବିଶ୍ୱକୁ ମହାମାରୀ କରୋନା ଭୁତାଣୁ ଗ୍ରାସ କରିଥିବା ବେଳେ ଏହାକୁ ରୋକିବା ପାଇଁ ସରକାରଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ । କରୋନା ମୁକାବିଲା ଲାଗି ସରକାର ଦେଶକୁ ଗତ ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫ୍ୟୁ ଘୋଷଣା କରିଥିଲେ । ଏହାପରେ ଦେଶକୁ ଲକଡ଼ାଉନ ଘୋଷଣା କରାଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକଡ଼ାଉନ ସମୟରେ ନିୟମ କଡ଼ାକଡ଼ି ପାଳନ କରାଯାଉଥିଲା । ଔଷଧ ଦୋକାନକୁ ବାଦ୍ ଦେଲେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡ଼ିକ ପ୍ରତ୍ୟେହ ସକାଳ ୭୮ଟାରୁ ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ପ୍ରଦାନ କରାଯାଇଥିଲା । ତୃତୀୟ ପର୍ଯ୍ୟାୟ ଲକଡ଼ାଉନ ଗତ ମେ ୧୭ ତାରିଖ ପର୍ଯ୍ୟନ୍ତ ରହିଥିବା ବେଳେ କଟକଣାରେ କିଛି କୋହଳ କରାଯାଇଥିଲା । ତେବେ ୪ର୍ଥ ପର୍ଯ୍ୟାୟ ଲକଡ଼ାଉନ ଅବଧି ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ବଳବତର ରହିଥିବା ବେଳେ ଲାଗୁ କରାଯାଇଥିବବା କଟକଣାକୁ ପ୍ରାୟତଃ କୋହଳ କରାଯାଇଛି । ହେଲେ ପ୍ରଶାସନର ପକ୍ଷରୁ ସଠିକ୍ ସୂଚନା ଓ ସଚେତନତା ଅଭାବରୁ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ପୂର୍ବଭଳି ସ୍ଥିତି ଜାରି ରହିଛି । ବିଶେଷ କରି ସମୟ ସାରଣୀକୁ ନେଇ ବହୁ କ୍ଷୁଦ୍ର ବ୍ୟବସାୟୀ ଏବେ ବି ଦ୍ୱନ୍ଦରେ ରହିଛନ୍ତି । ବଜାରରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ପୂର୍ବ ନିର୍ଦ୍ଧାରିତ ସମୟାନୁସାରେ ସକାଳ ୭ଟା ରୁ ଖୋଲି ମଧ୍ୟାନ୍ନ ୧୨ଟାରେ ବନ୍ଦ ହୋଇଯାଉଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ପ୍ରତ୍ୟେହ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ଘୋଷଣା କରିଛନ୍ତି । ତେବେ କେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବ ଏହାକୁ ନେଇ ବ୍ୟବସାୟୀ ଦ୍ୱନ୍ଦରେ ରହିଛନ୍ତି । ଫଳରେ ଚାହା ଦେକାନୀ, ସେଲୁନ, ଜଳଖିଆ ଦୋକାନୀ, ଫାଷ୍ଟଫୁଡ଼ ସେଂଟର, ହୋଟେଲ, ରାସ୍ତାକଡ଼ରେ ଠେଲାଗାଡ଼ିରେ ବିକ୍ରି କରୁଥିବା ଚାଟ୍, ଗୁପଚୁପ୍, ବାରମଜା, ଦହିବରା ଭଳି ଅସ୍ଥାୟୀ ଦୋକାନ ବଜାର ଗୁଡ଼ିକ ପ୍ରାୟତଃ ଗତ ଅଢେଇ ମାସ ଧରି ବନ୍ଦ ରହିଥିବା ଯୋଗୁଁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡ଼ିଛି । ଗତ କିଛି ଦିନ ଧରି ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବଂ ସଙ୍ଗରୋଧ କେନ୍ଦ୍ରରୁ ଫେରିଥିବା ପ୍ରବାସୀ ମ।।ନେ ଖୁଲୁମଖୋଲା ଭାବେ ସ୍ଥାନୀୟ ବଜାରରେ ବୁଲୁଥିବା ଯୋଗୁଁ ସଚେତନ ନାଗରିକ ମାନେ ବଜାରକୁ ଆସି ବଜାର ଓମଦା କରିବାକୁ ଉଚିତ ମଣୁନାହାନ୍ତି । ଯାହା ଫଳରେ ଅଂଚଳର କ୍ଷୁଦ୍ର ବ୍ୟବସାୟୀଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । କ୍ଷୁଦ୍ର ବ୍ୟବସାୟୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।


