ଚଳିତବର୍ଷ ସମ୍ମାନଜନକ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପାଇବେ ପୂର୍ବତନ ବିଧାୟକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ତଥା ନୂତନ ଓଡ଼ିଶାର ପ୍ରକୃତ ବିନ୍ଧାଣୀ ପ୍ରଜ୍ଞାପୁରୁଷ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯ମ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ପାଇଁ ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ବୁଧବାର ପୂର୍ବାହ୍ନରେ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଫେସର ଡଃ ବିମଳେନ୍ଦୁ ମହାନ୍ତିଙ୍କ ନୂଆପଲ୍ଲୀ ବାସଭବନରେ ଡଃ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ସାଧାରଣ ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେବା ପରେ କୋଷାଧ୍ୟକ୍ଷ ଡଃ ବଦ୍ରୀନାଥ ପଟ୍ଟନାୟକ, ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବଲାଙ୍ଗୀରର ପୂର୍ବତନ ବିଧାୟକ ରାଧାକାନ୍ତ ପଣ୍ଡା, ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ପ୍ରଫେସର ଡଃ ବିଜୟାନନ୍ଦ ସିଂହ ଏବଂ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ କେନ୍ଦ୍ରାପଡ଼ାର ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ରଙ୍କୁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଉପରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ପାଇଁ ସମାଜସେବୀ ଶ୍ରୀମତୀ ନିବେଦିତା ଭଞ୍ଜଙ୍କୁ ଦାୟିତ୍ୱ ଦିଆଗଲା । ୯ ବର୍ଷ ଭିତରେ ରାଜ୍ୟ ସରକାର ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ସ୍ଥାପନ ନ କରିବା ନେଇ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ଆସନ୍ତା ୨୧ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ସତ୍ୟନଗରସ୍ଥିତ ହୋଟେଲ ରୟାଲ ସୁଟ୍‌ରେ ଏକ ସ୍ୱତନ୍ତ୍ର ଉତ୍ସବରେ ସ୍ମୃତି ସମ୍ମାନ ପ୍ରଦାନ କରାଯିବ ବୋଲି ସାଧାରଣ ସମ୍ପାଦକ ଡଃ ଜ୍ଞାନେନ୍ଦ୍ର ପ୍ରକାଶ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡଃ ବେଦବତୀ ମହାନ୍ତି, ପ୍ରଫେସର ଡଃ ଯୁଧିଷ୍ଠିର ଖଟୁଆ, ଆନନ୍ଦ ଚୈତନ୍ୟ ବ୍ରହ୍ମଚାରୀ, ସନତ ଦାସ, ଆଲୋକ ମହାନ୍ତି, ଜ୍ୟୋତିଷ କୁମାର ସାହୁ, ଡଃ ନିବେଦିତା ପଟ୍ଟନାୟକ, ଶ୍ରୀମତୀ ମିତ୍ରା ରାୟ, ବରୁଣ ରାଜ, ମହମ୍ମଦ ସହାହୁଲା ଓ ଆଡ଼ଭୋକେଟ ଶାନ୍ତନୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ