ଚାରିଛକ ରେ ଜବରଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ବୃଦ୍ଧି : ପ୍ରଶାସନ ନୀରବ ଦ୍ରଷ୍ଟା 

ନିମାପଡ଼ା, (ସନ୍ତୋଷ ଦାସ) :-ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ଚାରିଛକ ବଜାର ରେ ଜବରଦଖଲ ବୃଦ୍ଧି ହେତୁ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି । ଫଳରେ ଯାନବାହାନ ଯାତାୟାତ କ୍ଷେତ୍ରରେ ଘୋର ପ୍ରତିବନ୍ଧକ ସୃଷ୍ଟି ହେଉଛି ଏବଂ ଶୌଚ ହେବାକୁ ଯାଗା ଟିକିଏ ନାହିଁ । ଏ ସମ୍ପର୍କରେ ବାରମ୍ବାର ଜନସାଧାରଣ ଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ବଜାରରେ ଦୋକାନ କରିବା ଆଳରେ ମୁଖ୍ୟ ରାସ୍ତାକୁ ଜବରଦଖଲ କରି ଜରି ପାଲ ବାନ୍ଧିବା , ପାଲ ପକାଇ ରାସ୍ତାରେ ସଉଦା ବିକ୍ରି କରିବା , ଦୋକାନ କୁ ବଢାଇ ରାସ୍ତାକୁ ଅବରୋଧ କରାଯାଉ ଥିବାରୁ ଯାନ ବାହନ ଚଳାଚଳରେ ଘୋର ପ୍ରତିବନ୍ଧକ ସୃଷ୍ଟି ହେଉଛି । ଏଠାରେ ଉଠା ଦୋକାନୀ ମାନଙ୍କର ପ୍ରାଦ୍ରୁଭାବ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବଜାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ମଧ୍ୟ ବାଦ ପଡୁନାହିଁ । ମୂର୍ତ୍ତି ଚାରିପଟେ ପାନଛେପ ,ଚାହା ଗିଲାସ, ଗୁଟଖାଜରି ରେ ପରିପୂର୍ଣ୍ଣ ହୋଇଛି ।ଚାରିଛକ ବଜାର ଦେଇ ଶହ ଶହ ପର୍ଯ୍ୟଟକ, ଯାତ୍ରୀ କୋଣାର୍କ ର ସୂର୍ଯ୍ୟ ମନ୍ଦିର , ଚନ୍ଦ୍ରଭାଗା, ରାମଚଣ୍ଡୀ, ସମୁଦ୍ର ବେଳାଭୂମି, କାକଟପୁର ର ମା ମଙ୍ଗଳା ଙ୍କ ମନ୍ଦିର, ଦେଉଳି ମଠ, ଚଉରାଶି ର ବରାହୀ ମନ୍ଦିର, ଅସ୍ତରଙ୍ଗ ର ଜାହାନିଆଁ ପିର, ବେଳାଭୂମି, ସହନ ଓ ମାଧବର ମାଧବାନନ୍ଦ ଜୀଉ ମନ୍ଦିର କୁ ଦର୍ଶନ ଲାଗି ଯାଇଥାନ୍ତି ।ଦୈନିକ ଶହ ଶହ ଗାଡ଼ି ମୋଟର ଯାତାୟାତ କରୁଥିବା ବେଳେ ଅପରାହ୍ନ ୪ ଟା ରୁ ରାତ୍ର ୮ ଟା ପର୍ଯ୍ୟନ୍ତ ଚାରି ଛକ ରେ ଟ୍ରାଫିକ ସମସ୍ୟା ଦେଖା ଦେଉଛି। ଏପରିକି ଘଣ୍ଟା ଘଣ୍ଟା ଧରି ଗାଡ଼ି ସବୁ ଠିଆ ହେବାକୁ ପଡୁଛି।ଯାହାକି ସ୍ଥାନୀୟ ପୋଲିସ ଲାଗି ମୁଣ୍ଡବିନ୍ଧାର କାରଣ ପାଲଟୁଛି । ଜବରଦଖଲ ଉଚ୍ଛେଦ ଓ ରାସ୍ତା ଅବରୋଧ କାରୀଙ୍କୁ ହଟାଇବା ଲାଗି ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷ ଠାରେ ଅଭିଯୋଗ ହେଉଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନା ଥିବା ଅଭିଯୋଗ ହେଉଛି । ଫୁଲନଖରା -ଗୋପ ୫୪ କିଲୋମିଟର ରାସ୍ତାର ଉନ୍ନତି କରଣ ଲାଗି ମୁଖ୍ୟ ଶାସନ ସଚିବ ନବକଳେବର ସମୀକ୍ଷା ବୈଠକ ରେ ନିଷ୍ପତି ନେଇଥିଲେ ।ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାପାଳ କଳାପାଞ୍ଚଣ ଛକ ଠାରୁ ଚାରିଛକ ୫ କିଲୋମିଟର ପର୍ଯ୍ୟନ୍ତ ଉଭୟ ପାର୍ଶ୍ବ ରୁ ୨୦ ଫୁଟ ଏବଂ ଚାରିଛକ ଠାରୁ ଗୋପ ଉଭୟ ପାର୍ଶ୍ଵ ରୁ ୧୫ ଫୁଟ ଲେଖାଁଏ ଚଉଡା କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅଦ୍ୟାବଧି ଜବର ଦଖଲ ଉଚ୍ଛେଦ ଦିଗରେ କୌଣସି ପଦକ୍ଷେପ ନେଉ ନଥିବା ଯୋଗୁଁ ଜବର ଦଖଲ କାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । କେତେକ ଅସାଧୁ ବ୍ୟକ୍ତି ପିଡବ୍ଲୁଡି ଜାଗା ଦାଖଲ କରି ଦୋକାନ କରିଛନ୍ତି ତ ଆଉ କିଏ ଦଖଲ କରି ଭଡ଼ା ଲଗାଇଛନ୍ତି ।ଏବେ ଜବରଦଖଲ କାରୀ ଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜସ୍ୱ ବିଭାଗ ସମ୍ମୁଖ ଓ ପଛପଟେ ଥିବା ସ୍ଥିତିବାନ ଜମି, ଜଳସେଚନ ବିଭାଗ ର କେନାଲ ବନ୍ଧ, ନୟନଯୋରୀ, ଗୋଚର, ଅନାବାଦୀ ଏବଂ ସମସ୍ତ ରାସ୍ତା କଡ଼ ଜବରଦଖଲ କାରୀଙ୍କ କବଜାରେ ଥିବାରୁ ଜନସାଧାରଣ , ଯାତ୍ରୀ ପର୍ଯ୍ୟଟକ, ଛାତ୍ର ଛାତ୍ରୀ , ରୋଗୀ ମାନେ ଶୌଚ ହେବା ଲାଗି ଯାଗା ଟିକିଏ ନ ପାଇ ନାନାଦି ହଇରାଣ, ହରକତ ହେଉଛନ୍ତି । ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ରାଜସ୍ୱ ବିଭାଗ ର ହୋଇଥିବା ବେଳେ ବ୍ରହ୍ମକୁଣ୍ଡି ରାଜସ୍ବ ବିଭାଗର ବହୁ ମୂଲ୍ୟବାନ ଜମି ଜବର ଦଖଲ କାରୀ ଙ୍କ କବଳରେ ରହିଛି । ରାଜସ୍ୱ ବିଭାଗ ସବୁ ଦେଖି ନିରବ ପଛରେ କାହାର ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି ତାହା ସାଧାରଣରେ ଆଲୋଚନା ହେଉଛି । ପୁରୀ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ସ୍ଥାନୀୟ ଅଞ୍ଚଳ ର ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ ଓ ସନାତନପାତ୍ର ଦୃଢ଼ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ