ରଜ ଉତ୍ସବ ଓ ଜଗନ୍ନାଥ ସଂସ୍କୃତିରେ ପାନ 

ନିମାପଡା, (ସନ୍ତୋଷ ଦାଶ) :-ଆମ ଓଡିଆ ଘରେ ବାର ମାସରେ ତେର ପର୍ବ ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଥାଏ । ତା ମଧ୍ୟରୁ ରଜ ଉତ୍ସବ ଅନ୍ୟତମ । ଏହା ସାରା ରାଜ୍ୟ ରେ ୪ଦିନ ଧରି ପାଳିତ ହୋଇଥାଏ । ରଜ ପୂର୍ବ ଦିନ ସଜବାଜ, ପହିଲି ରଜ, ରଜ ସଂକ୍ରାନ୍ତି, ବସୁମତୀ ସ୍ନାନ, ଏପରି ଭାବେ ଓଡ଼ିଆ ଘରେ ପାଳିତ ହୋଇଥାଏ ରଜ ପର୍ବ। ତେବେ ରଜ ରେ ପାନ ଖାଇବା, ଖୁଆଇବା ପରମ୍ପରା ଚାଲିଆସିଛି କାହିଁ କେତେ କାଳରୁ । ପ୍ରୀତି ର ବନ୍ଧନ ହେଉଛି ଏହି ରଜ ପାନ । ଏହି ପାନ ବନ୍ଧୁତାର ଡୋରି କୁ ଅଧିକ ମଜଭୂତ କରିଥାଏ । ରଜ କୁ ପାନ ଓ ପିଠା ର ପର୍ବ କୁହା ଯାଇଥାଏ। ସେହିପରି ଓଡ଼ିଆ ଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରିୟ ହେଉଛି ବିଡ଼ିଆ ପାନ। ଜଗନ୍ନାଥ ସଂସ୍କୃତି ସହିତ ପାନ ଜଡ଼ିତ ହୋଇ ରହି ଆସିଛି କାହିଁ କେତେ କାଳରୁ। ପ୍ରତି ଧୂପ (ଭୋଗ ଲାଗି) ପରେ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ହଡ଼ପ ନାୟକ ଲାଗି କରିଥାନ୍ତି ବିଡିଆ ପାନ। ଏହି ପାନ ରେ ଚନ୍ଦନ, କର୍ପୁର, ଜାଇଫଳ, ଗୁଆ, ଅଳେଇଚ ପ୍ରଭୁତି ମସଲା ଦିଆଯାଇଥାଏ । ପ୍ରତିଦିନ ବଲ୍ଲଭ ଭୋଗ, ସକାଳ ଧୂପ, ମଧ୍ୟାହ୍ନ ଧୂପ ସଂଧ୍ୟା ଧୂପ, ବଡ଼ସିଂହାର ପରେ ୬ ଟି ବିଡ଼ିଆ ପାନ ମହାପ୍ରଭୁ ଙ୍କ ନିକଟରେ ଲାଗି କରାଯାଇଥାଏ । ମହାପ୍ରଭୁ ଙ୍କ ପହୁଡ଼ ନୀତି ପରେ ପଲଙ୍କ ତଳେ ୬ ଟି ବିଡ଼ିଆ ପାନ ରଖାଯାଇଥାଏ । ଦିନକ ରେ ସମୁଦାୟ ୩୬ ଟି ବିଡ଼ିଆ ପାନ ଶ୍ରୀଜିୟୁ ମାନଙ୍କୁ ଲାଗି କରାଯାଇଥାଏ । ବିଶେଷ ଦିନ ମାନଙ୍କ ରେ ବି ଆଉ ଅଧିକ ବିଡ଼ିଆ ପାନ ଠାକୁର ମାନଙ୍କୁ ଲାଗି କରା ଯାଇଥାଏ । ଚନ୍ଦନଯାତ୍ରା ସମୟରେ ଚନ୍ଦନ ମଣ୍ଡପ ରେ ୫୦ ରୁ ୬୦ ଖଣ୍ଡ ବିଡ଼ିଆ ପାନ ମଣୋହି ହୋଇଥାଏ । ମହାପ୍ରଭୁଙ୍କ ନୌକାବିହାର ସମୟରେ ବି ବିଡ଼ିଆ ପାନ ଲାଗି ହୋଇଥାଏ । ଦିନ ଚାପ ରେ ୩୦ ଟି ବିଡ଼ିଆ ପାନ ଓ ସଂଧ୍ୟା ଚାପ ରେ ୫୦ ଟି ବିଡ଼ିଆ ପାନ ମଣୋହି ହୋଇଥାଏ । ଆଡ଼ପ ମଣ୍ଡପରେ ବି ଶ୍ରୀ ଜିୟୁ ମାନଙ୍କୁ ବିଡ଼ିଆ ପାନ ଲାଗି ହୋଇଥାଏ।ମହାପ୍ରଭୁ ଙ୍କୁ ଯେତେଥର ବିଡ଼ିଆ ପାନ ମଣୋହି ହୋଇଥାଏ ମା ବିମଳା ଙ୍କୁ ସେତେଥର ବିଡ଼ିଆ ପାନ ସମର୍ପଣ ହୋଇଥାଏ ବୋଲି ଶ୍ରୀ ଜଗନ୍ନାଥ ପୁସ୍ତକ ରେ ବର୍ଣ୍ଣନା ହୋଇଛି । ଶ୍ରୀ ଜିୟୁ ମାନଙ୍କୁ ବିଡ଼ିଆ ପାନ ଲାଗି କରିବାକୁ ହଡ଼ପ ନାୟକ ନିଯୋଗ ରହିଛି । ଏହି ନିଯୋଗ ବର୍ଷ ସାରା ଶ୍ରୀ ଜିୟୁ ମାନଙ୍କୁ ବିଡ଼ିଆ ପାନ ମଣୋହି ଲାଗି କରି ଆସୁଛନ୍ତି । ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ପାନ ର ସମ୍ପର୍କ ଯେପରି ରହିଆସିଛି କାହିଁ କେତେ କାଳରୁ ସେହିପରି ଓଡ଼ିଆ ଙ୍କ ପର୍ବ ରଜ ରେ ପାନ ଖାଇବା ପରମ୍ପରା ରହି ଆସିଛି ଯୁଗ ଯୁଗ ଠାରୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ